ରିଓ ଡି ଜେନେରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି। ବ୍ରାଜିଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁରେଶ ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି।
ଆଜିଠାରୁ ବ୍ରାଜିଲରେ ଆରମ୍ଭ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଗ୍ଲୋବାଲ ୱାର୍ମିଂକୁ ନେଇ କୂଟନୈତିକ ଉତ୍ତେଜନା ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି। ଆଜରବାଇଜାନର ବାକୁଠାରେ ଚାଲିଥିବା ସିଓପି-୨୯ ବୈଠକରେ ଆଲୋଚନାକାରୀମାନେ ଜଳବାୟୁ ଅର୍ଥକୁ ନେଇ ଅଚଳାବସ୍ଥାରେ ପଡ଼ିଛନ୍ତି ଏବଂ ବିଶ୍ୱର ୨୦ଟି ବୃହତ୍ତମ ଅର୍ଥନୀତିର ନେତାମାନେ ଏହି ଅଚଳାବସ୍ଥାକୁ ଭାଙ୍ଗିପାରିବେ ବୋଲି ଆଶା ରଖିଛନ୍ତି।
ଜି-୨୦ ଶିଖର ସମ୍ମିଳନୀର ଦୁଇ ଦିନରେ ଦାରିଦ୍ର୍ୟ ଓ କ୍ଷୁଧାଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ଅନୁଷ୍ଠାନରେ ସଂସ୍କାର ଆଦି ସମସ୍ୟାର ସମାଧାନ ହେବ। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଶହଶହ ବିଲିୟନ ଡଲାର ସଂଗ୍ରହ ଲକ୍ଷ୍ୟରେ ରାଜି ହେବା ପାଇଁ ସିଓପି୨୯କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏହି ଅର୍ଥ ପ୍ରଦାନ ଜି-୨୦ ନେତାଙ୍କ ହାତରେ ରହିଛି। ବିଶ୍ୱ ଅର୍ଥନୀତିରେ ଜି-୨୦ ଦେଶଗୁଡ଼ିକର ଅଂଶ ୮୫ ପ୍ରତିଶତ ଏବଂ ଜଳବାୟୁ ଅର୍ଥଯୋଗାଣକୁ ସମର୍ଥନ କରୁଥିବା ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡ଼ିକରେ ଏହା ସବୁଠାରୁ ବଡ଼ ଯୋଗଦାନକାରୀ। ସମଗ୍ର ବିଶ୍ୱରେ ୭୫ ପ୍ରତିଶତରୁ ଅଧିକ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ମଧ୍ୟ ସେମାନେ ଦାୟୀ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୬ ତାରିଖ ଠାରୁ ବିଦେଶ ଗସ୍ତରେ ଅଛନ୍ତି। ସେ ଏହି ଗସ୍ତକାଳରେ ରବିବାର ପ୍ରଥମେ ନାଇଜେରିଆ ପହଞ୍ଚିଥିଲେ। ନାଇଜେରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ ଦ ଅର୍ଡର ଅଫ ନାଇଜେରିଆ’ ଆୱାର୍ଡରେ ସମ୍ମାନିତ କରାଯାଇଛି । ମୋଦୀଙ୍କ ପୂର୍ବରୁ କେବଳ କ୍ୱିନ ଏଲିଜାବେଥଙ୍କୁ ୧୯୬୯ରେ ଏହି ସମ୍ମାନ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଦେଶରୁ ଏହି ଧରଣର ୧୭ତମ ସମ୍ମାନ ମିଳିଛି। ଏହା ପୂର୍ବରୁ ୧୬ ଦେଶ ନିଜ ନିଜର ସର୍ବଶ୍ରେଷ୍ଠ ସମ୍ମାନରେ ମୋଦୀଙ୍କୁ ସମ୍ମାନିତ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆ ପହଞ୍ଚିବା ପରେ ସେଠାକାର ସମବେତ ସମୁଦାୟକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣକ୍ରମେ ସେ ଏଠାକୁ ଆସିଛନ୍ତି। ବ୍ରାଜିଲ ଗସ୍ତ ପରେ ମୋଦୀ ଗୁଏନା ଯାତ୍ରା କରିବେ।
ଅଧିକ ପଢ଼ନ୍ତୁ: ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ