ଭୁବନେଶ୍ୱର: ଆଜି ଗୋଟାଏ ଦିନରେ ଦୁଇ ବଡ଼ ବଡ଼ ସରକାରୀ ମାଛ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଜାଲରେ ପଡ଼ିଛନ୍ତି । ସେ ହେଲ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଏବଂ ବ୍ରହ୍ମପୁର ସିଭିଲ ଇଞ୍ଜିନିୟର ଡେପୁଟି ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦୁଇ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ କରିଛି ।
କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କର ୧୦ଟି ସ୍ଥାନରେ ଚଢଉ ଆରମ୍ଭ କରିଛି ଭିଜିଲାନ୍ସ । ଭୁବନେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ଯାଞ୍ଚ କରାଯାଉଛି । ଭୁବନେଶ୍ୱର ଝାରପଡ଼ାରେ ନିର୍ମାଣଧୀନ ଥିବା ୩ ମହଲା ବିଶିଷ୍ଟ ଘର ଓ ଏକ ମହଲା ଘର, ଭଦ୍ରକ କୁଆଁସାରେ ଥିବା ୩ ମହଲା ବିଶିଷ୍ଟ ଘର, ଗେଲପୁରରେ ନିର୍ମାଣଧୀନ ଥିବା ୨ ମହଲା ବିଶିଷ୍ଟ ଘର, ବରୁଣାଇରେ ଥିବା ସମ୍ପର୍କୀୟଙ୍କ ଘର ଓ ଭଣ୍ଡାରୀପୋଖରୀରେ ଥିବା ଘର, କାମାକ୍ଷାଗନର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ମୟୁରଭଞ୍ଜ ରାଇରଙ୍ଗପୁର ଅନ୍ତର୍ଗତ ଧଲପୁରରେ ଥିବା ଘରେ ଚଢ଼ାଉ କରାଯାଉଛି ।
ଏହି ଚଢ଼ାଉରେ ୭ ଡିଏସପି, ୩ ଇନସ୍ପେକ୍ଟର, ୮ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଅନ୍ୟପକ୍ଷରେ ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି । ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେଆର୍ କର୍ପୋରେସନ୍(ଙଚଐଡଉ) ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ସୁବାଷଙ୍କର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଆଇଗିଣିଆ ଶଙ୍କରପୁରସ୍ଥିତ ମହାଦେବ ବିହାରରେ ଥିବା ଘର, ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଏବଂ ମେଡ଼ିକାଲ ବ୍ୟାଙ୍କ କଲୋନୀରେ ଥିବା କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଭିଜିଲାନ୍ସ ।
ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।