ଭଦ୍ରକ: ରାସ୍ତା କଡ଼ରୁ ଜଣେ ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତରଂଜନ ରାଉତ । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚିତ୍ତରଞ୍ଜନ ରାଉତ ଗତକାଲି ଏକ ଅଷ୍ଟପ୍ରହରୀ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ବିଳମ୍ବିତ ରାତିରେ ସେଠାରୁ ସେ ଘରକୁ ଫେରିଥିଲେ । କିନ୍ତୁ ଘରକୁ ଫେରି ନ ଥିଲେ । ଆଜି ସକାଳେ ବନ୍ଧଗାଁ ଡୁଙ୍ଗୁରା ରାସ୍ତାର ନାଳ ନିକଟରେ ତାଙ୍କର ରକ୍ତାକ୍ତ ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ଲୋକ ପରିବାରକୁ ଖବର ଦେଇଥିଲେ । ସେମାନେ ଆସି ମୃତ ଦେହକୁ ଚିହ୍ନଟ କରିଥିଲେ । ତାଙ୍କ ଶରୀରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।
ଏ ନେଇ ଗ୍ରାମାଞ୍ଚଳ ଥାନା ପୁଲିସ ଖବର ପାଇବା ପରେ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଁଚିଛି । ଜଣେ ପୂର୍ବତନ ସରପଞ୍ଚଙ୍କ ଏପରି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ହତ୍ୟାକାଣ୍ଡ କାହିଁକି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।