ଭୁବନେଶ୍ୱର: ଚେନ ଲୁଟେରାଙ୍କ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ମୃତ ମହିଳା ଜଣକ ହେଲେ ଭୁବନେଶ୍ୱର ବାସିନ୍ଦା ୟୁ. ବିଷ୍ଣୁ ପାତ୍ର । ଆକ୍ରମଣର ଚାରି ଦିନ ପରେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଛନ୍ତି ।
ଗତ ସୋମବାର ୟୁ. ବିଷ୍ଣୁ ପାତ୍ର ତାଙ୍କ ସ୍ୱାମୀଙ୍କ ସହିତ ଭୁବନେଶ୍ୱରରୁ ହରିରାଜପୁର ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କର ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇ ନ ଥିଲେ । ପୁନର୍ବାର ତାଙ୍କ ପିଛା କରି ଚେନ ନେବାକୁ ଚେଷ୍ଟା କରିଥିଲେ । ଚେନଟି ମୋଟା ହୋଇ ଥିବାରୁ ସହଜରେ ଛିଡ଼ି ନ ଥିଲା ।
ଶେଷରେ ଲୁଟେମାନେ ବିଷ୍ଣୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବେକ ଏବଂ ମୁଣ୍ଡର ପଛ ପାର୍ଶ୍ୱରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ପରିବାରଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।