ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅଞ୍ଚଳରେ ଅପହୃତ ହୋଇଥିବା ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କେ. ନୂଆଗାଁ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି । ଅପହୃତ ବ୍ୟକ୍ତିମାନେ ଏକ ଫାଇନାସ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୩ ଜଣ କଟକର ହୋଇଥିବାବେଳେ ଓ ଜଣେ ଦିଲ୍ଲୀର ଅଟନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଅପହରଣ ହୋଇଥିବା ୪ ଜଣ ବ୍ୟକ୍ତି ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି । ସେମାନେ ବ୍ୟବସାୟିକ ଅନୁଷ୍ଠାନ ପାଇଁ ଋଣ ଯୋଗାନ୍ତି । କିଛି ଲୋକ ନିଜକୁ ବ୍ୟବସାୟୀ କହି ସେମାନଙ୍କୁ ଫୋନ୍ କରିଥିଲେ । ଋଣ ଯୋଗାଣ ନେଇ କଥା ହୋଇଥିଲେ ଏବଂ ଫାଇନାନ୍ସ କର୍ମଚାରୀଙ୍କୁ ଦେଖାକରିବାକୁ ଡାକିଥିଲେ । ଏହା ପରେ ସମସ୍ତ ୪ କର୍ମଚାରୀ ଅଜଣା ବ୍ୟକ୍ତିଙ୍କୁ ଦେଖାକରିବାକୁ ଯାଇଥିଲେ । ଗୋଳନ୍ଧରା ଥାନା ଅଞ୍ଚଳରେ ପହଁଞ୍ଚିବା ପରେ କିଛି ବ୍ୟକ୍ତି ସେମାନଙ୍କୁ ଅପହରଣ କରି ନେଇଥିଲେ । ଦୀର୍ଘ ୪ ଦିନ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା । ବିଷାକ୍ତ ସାପ ଦେଖାଇ କୋଟିଏ ଟଙ୍କା ଦାବି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ ।
କାନ୍ଥ ଡେଇଁ ଅପହରଣକାରୀଙ୍କ କବଳରୁ ଖସି ଆସିଥିବା ବ୍ୟକ୍ତି ଜଣକ ଚିକିଟି ତହଲସିଲଦାରଙ୍କ କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ । ସେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଆସି ତହସିଲ କାର୍ଯ୍ୟାଳୟ ପରିସରରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହା ପରେ ବଞ୍ଚାଇବାକୁ ବାରମ୍ବାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର । ତହସିଲଦାର ତୁରନ୍ତ କେ.ନୂଆଗାଁ ପୋଲିସକୁ ଜଣାଇବାରୁ ସେମାନଙ୍କର ମୋବାଇଲ ଟ୍ରାକ୍ କରାଯାଇଥିଲା । ପୋଲିସ ଟ୍ରାକିଂ କରି ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।