ସମ୍ବଲପୁର: ବିହାର ଜେଲରେ ଦଣ୍ଡ ଭୋଗୁଥିବା ଅଭିଯୁକ୍ତ ଓଡ଼ିଶାର କରୁଛି ଡକାୟତି । ଜେଲ ଭିତରେ ରହି ଡକାୟତି ଗ୍ୟାଙ୍ଗର କରୁଛି ପରିଚାଳନା । ବୁଢ଼ାରାଜା ମଣପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥାରୁ ଡକାୟତି ମାମଲାରେ ମାଷ୍ଟରମାଇଣ୍ଡ ପଲ୍ଲୁ ସିଂକୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୋଲିସ । ଏଥିପାଇଁ ଏକ 8 ଜଣିଆ ଟିମ୍ ବିହାର ଯାଇଛନ୍ତି । ଖୁବ୍ ଶୀଘ୍ର ବିହାର ଜେଲରୁ ରିମାଣ୍ଡରେ ଆସିବ ପଲ୍ଲୁ ସିଂ । ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ ।
ପଲ୍ଲୁ ସିଂ ବର୍ତ୍ତମାନ ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ଅଛି । କିନ୍ତୁ ଜେଲରେ ରହି ଦେଶର ବିଭିନ୍ନ ସ୍ଥାନରେ କ୍ରାଇମ୍ ନେଟୱାର୍କ ଚଲାଉଛି । ତାର ଦୁଇ ସହଯୋଗୀ ପଙ୍କଜ ପାଶୱାନ ଓ ଅଜୟ ପାଶୱାନକୁ ଗିରଫ କରାଯିବା ପରେ ପଲ୍ଲୁ ବିଷୟରେ ସୂଚନା ପାଇଥିଲା ପୋଲିସ । ତେଣୁ ପଲ୍ଲକୁ ରିମାଣ୍ଡରେ ଆଣିବାକୁ ସମ୍ବାଲପୁର ପୋଲିସ ପାଟନାର ଅତିରିକ୍ତ ସେସନ୍ କୋର୍ଟରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା । କୋର୍ଟ ପଲ୍ଲୁକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ସେଥିପାଇଁ ପୋଲିସ ବିହାର ଗସ୍ତ କରିଛି । ସେହିପରି ଆଉ ଜଣେ ସହଯୋଗୀ ସୁବୋଧ ସିଂ କୋଲକତାର ପ୍ରେସିଡେନ୍ସି ଜେଲରେ ଥିବା ଜଣାପଡ଼ିଛି ।
ଉଲ୍ଲେଖ ଯୋଗ୍ୟ, ଗତ ଜାନୁୟାରୀ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ବୁଢ଼ାରଜା ମଣପୁରମ ଗୋଲ୍ଡ ଲୋନ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାରୁ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଏକ ବ୍ୟାଗ ଭର୍ତ୍ତି ସୁନା ଗହଣା ଲୁଟି ନେଇଥିଲେ । ୨୮ କେଜି ସୁନା ସହିତ ନଗଦ ୪.୮୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ଅଇଁଠାପାଲି ଥାନା ପୋଲିସ ଘଟଣାର ୧୩ ଦିନ ପରେ ୨ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ପଙ୍କଜ ପାଶୱାନ କୁ (୨୬) ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଅଜୟ ପାଶୱାନ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିଲା । ଏହି ଗ୍ୟାଙ୍ଗ୍ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି ।
ଏହି ଗ୍ୟାଙ୍ଗ୍ ମଣପୁରମରୁ ଲୁଟ୍ କରିବାକୁ ଦେଢ଼ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ପଙ୍କଜ, ଅଜୟ, ଉତ୍ତମ ଏବଂ ସଞ୍ଜୟ ଠେଲକୁଲି ଅଞ୍ଚଳରେ ରହୁଥିଲେ । ଏହା ପରେ ଯୋଜନାକୁ ରୂପ ଦେଇଥିଲେ । ମଣପୁରମ୍ ଡକାୟତିରେ ବିହାରର କୁଖ୍ୟାତ ଅପରାଧୀ ସୁବୋଧ ସିଂ ଏବଂ ପଲ୍ଲୁ ସିଂ ଗ୍ୟାଙ୍ଗ୍ର ସଂପୃକ୍ତି ରହିଥିବା ଜଣାପଡ଼ିଛି । ତେବେ ଯାଜପୁର ଡକାୟତିରେ ଏମାନଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ନାହିଁ । କିନ୍ତୁ ସେମାନଙ୍କ ମୁଖ୍ୟ ସହଯୋଗୀ ସୁବୋଧ ସିଂର ଗ୍ୟାଙ୍ଗ୍ ସାମିଲ ରହିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ଏକାଧିକ ଡକାୟତି ମାମଲାରେ ସମ୍ପୃକ୍ତ ଅଛନ୍ତି । ଏମାନେ ସବୁବେଳେ ବଡ଼ ବଡ଼ ଡକାୟତି କରି ଥାଆନ୍ତି । ଉତ୍ତମ ଏବଂ ସଞ୍ଜୟ ନାମରେ ପୂର୍ବରୁ ବିହାର ହାଜିପୁରରେ ୧ କୋଟି ଟଙ୍କା ଓ ସୁନା ଲୁଟର ମାମଲା ରହିଛି ।