ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ପୋପରଙ୍ଗ ବିଦ୍ୟାଳୟରେ ଛାତ୍ରଙ୍କୁ ନାଗ ସାପ କାମୁଡ଼ିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ ) ରବି ନାରାୟଣ ନନ୍ଦ । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଥିବାବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଇଓ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଅଧିକ ପଢ଼ନ୍ତୁ:- ମହାକୁମ୍ଭରେ ଦଳାଚକଟା: ସହାୟତା ଦେବେ କେନ୍ଦ୍ର ସରକାର
ଘଟଣା କ୍ରମେ ଏମିତି ଥିଲା ଯେ ଗତ ସୋମବାର ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରଶ୍ନର ଉତ୍ତର ନ ଦେଇ ପାରିବାରୁ ଶିକ୍ଷୟତ୍ରୀଙ୍କୁ ଦଣ୍ଡିତ କରିଥିଲେ । ଛାତ୍ର ଜଣକୁ ବିଦ୍ୟାଳୟର ଚାଉଳ ରଖା ଯାଉଥିବା ଘରକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଟି ଶିକ୍ଷୟତ୍ରୀଙ୍କ କଥା ଚାଉଳ ଘରକୁ ସଫା କରୁଥିବାବେଳେ ତାକୁ ଏକ ନାଗ ସାପ କାମୁଡ଼ିଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ପରେ ଛାତ୍ରକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି ।
ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲା । ବିଇଓ ରବି ନାରାୟଣ ନନ୍ଦ ପ୍ରଧାନ କାର୍ଯ୍ୟରେ ଅବହେଳା ଏବଂ ଶିକ୍ଷା ବିଭାଗର ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ ନିଲମ୍ବନ କରିଥିବାବେଳେ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଉତଙ୍କୁ ବଦଳି କରିଥିବା ଜଣାପଡ଼ିଛି ।