ନୂଆଦିଲ୍ଲୀ : ଆଜି ଜାନୁଆରୀ ୩୦ ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ଗାନ୍ଧିଜୀଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ନୂଆଦିଲ୍ଲୀ ରାଜଘାଟ ସ୍ଥିତ ବାପୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସମସ୍ତେ ସର୍ବ ଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜଘାଟଠାରେ ପହଞ୍ଚି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ମୋଦୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଏବଂ ତିନି ସେନାର ମୁଖ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ମଧ୍ୟ ଏକ ପୋଷ୍ଟ କରି ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ମୋଦୀ ଲେଖିଛନ୍ତି, ବାପୁଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ଗଢ଼ିତୋଳିବାରେ ପ୍ରେରଣା ଦେଉଛି। ଦେଶ ପାଇଁ ଜୀବନ ବଳି ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେମାନଙ୍କ ସେବା ଓ ତ୍ୟାଗର ସ୍ମୃତିଚାରଣ କରୁଛି ।
୧୯୪୮ ଜାନୁଆରା ୩୦ ତାରିଖ ଦିନ ବିର୍ଲା ହାଉସ୍ ନିକଟରେ ପ୍ରାର୍ଥନା ଚାଲିଥିବାବେଳେ ଗାନ୍ଧୀଜୀଙ୍କୁ ଗୁଳି କରି ହତ୍ୟା କରିଥିଲା ନାଥୁରାମ ଗଡସେ । ତେଣୁ ବାପୁଙ୍କୁ ସମ୍ମାନ ଓ ଶ୍ରଦ୍ଧା ଅର୍ପଣ କରିବା ଉଦ୍ଦେଶ୍ୟରେ ଏହି ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ପ୍ରେରଣା ଓ ସତ୍ୟର ଶକ୍ତି ଯୋଗୁ ଦେଶ ଇଂରେଜମାନଙ୍କ ଶାସନରୁ ମୁକ୍ତ ହୋଇଥିଲା । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଦେଶର ସ୍ବାଧିନତା ପାଇଁ ବଳି ଦାନ ଦେଶ ସବୁବେଳେ ମନେରଖିଛି।