ଭୁବନେଶ୍ଵର: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଛି ୨ ବର୍ଷ। ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସି ପାରିନାହିଁ। ଏବେ ବି ଏହାର ଷଡ଼ଯନ୍ତ୍ର ଦିଗ ପ୍ରତି ତଦନ୍ତ ହୋଇ ନ ଥିବା ଅଭିଯୋଗ ହୋଇଛି। ସେହି ସମୟରେ ବାପା ନବଙ୍କ ନ୍ୟାୟ ପାଇଁ ଶବ୍ଦଟିଏ କହି ନ ଥିବା ପୂର୍ବତନ ବିଧାୟିକା ଦୀପାଳି ଦାସ ଏବେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏହା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଜେପିର ଏହି ବରିଷ୍ଠ ବିଧାୟକ କହିଛନ୍ତି, ସରକାର ନିଜ ଆଡୁ ତଦନ୍ତ କରିପାରିବେ କି ନା ବିଚାର ଚାଲିଛି। ଆଇନ ଅନୁଯାୟୀ ଯଦି ନିଜ ଆଡୁ କରିପାରିବେ ତେବେ କରାଯିବ।
ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡର CBI ତଦନ୍ତ ନେଇ ପରିବାର ଲୋକ ଲେଖିକି ଦେଲେ ମୁଁ ସରକାରଙ୍କ ପାଖରେ ଅନୁରୋଧ କରିବି। ଆଶା ରହିଛି ନବଙ୍କ ପରିବାରର ଅନୁରୋଧକୁ ସରକାର ସ୍ଵୀକାର କରିବେ। ନବ ଦାସ ହତ୍ୟାକାଣ୍ଡରେ ବହୁ ମୁଣ୍ଡ ସମ୍ପୃକ୍ତ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବନି। ରାଜ୍ୟ ସରକାର ଯାହା ପାରିବ ନାହିଁ ସେଇଟା କେନ୍ଦ୍ର ସରକାର କରିବ । ମୁଁ ଆଇନଜ୍ଞ ନୁହେଁ ଯାହା ମୋତେ ଆଡ଼ଭୋକେଟ୍ ଜେନେରାଲ କହିଲେ ସେଇଟା ଆଇନ ବୋଲି ଭାବିବା । ତାଙ୍କ ପରିବାର ଅସନ୍ତୁଷ୍ଟତା ଜାହିର କରିନାହାନ୍ତି । ସ୍ବମୋଟୋ ତଦନ୍ତ କେମିତି ହେବ । CBI ତଦନ୍ତ ପାଇଁ ମୁଁ ଆଗରୁ ଦାବି କରିଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି ଦୋହରାଦଇଥିଲେ । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି କହିଥିଲେ ଦୀପାଳି । ସେ ଏହା ମଧ୍ୟ କହିଥିଯେ, ଏହା କୌଣସି ରାଜନୀତିକ ଉଦ୍ଦେଶ୍ୟ ରଖି ନିଷ୍ପତ୍ତି ନୁହେଁ । ଏହା ପୁରା ମୋଟ ପରିବାରର ଭାବନା ସହିତ ଜଡିତ । ତେଣୁ ଆମେ ସିବିଆଇ ତଦନ୍ତ ଲାଗି ଲେଖୁଛି । ଖୁବଶୀଘ୍ର ଏହି ଚିଠିକୁ ଆମେ ରାଜ୍ୟ ସରକାରଙ୍କୁ ଦେବୁ । ଏହାପରେ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିବେ ।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ରେ ଦିବଙ୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ସେହି ସମୟରେ ଝିଅ ଦୀପାଳି ଦାସ ବିଜେଡିରୁ ଟିକେଟ୍ ପାଇବା ଲୋଭରେ ବାପାଙ୍କ ହତ୍ୟାକାଣ୍ଡରେ ନ୍ୟାୟ ଦାବି କରି ନ ଥିଲେ। ତାଙ୍କର ଏମିତି ଏତାଦୃଶ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ଏବେ ତାଙ୍କ ଦଳ ବିଜେଡି ନିର୍ବାଚନ ହାରିବା ଏବଂ ଖୋଦ୍ ବିଧାୟକ ପଦରୁ ହାରିବା ପରେ ଏବେ ଦୀପାଳିଙ୍କୁ ନିଜ ବାପାଙ୍କ ପାଇଁ ନ୍ୟାୟ ଦେବା କଥା ମନେ ପଡିଛି।