ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଏବେ ଚାଲିଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା । ଏଥିରେ ବୁଡ଼ ପକାଇବା ପାଇଁ ଚାରିଆଡୁ କୋଟି କୋଟି ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି । ଏହାରି ଭିତରେ କିଛି ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ମା’ଙ୍କ ସ୍ୱପ୍ନ ପୂରା କରିବାକୁ ପୁଅ କିଭଳି ଶ୍ରବଣ କୁମାର ସାଜିଛନ୍ତି ତାହା ଦେଖିବାକୁ ମିଳିଛି । ମହାକୁମ୍ଭ ଦେଖିବାକୁ ମା’ ଇଚ୍ଛା କରିଛି, ସେଥିପାଇଁ ଯେତେ ବାଧା ବିଘ୍ନ ଆସୁ ପଛେ ହାର ମାନିନାହିଁ ପୁଅ । ମାଙ୍କୁ ବୋହି ବୋହି ଆଣୁଛନ୍ତି ତୀର୍ଥରାଜ ପ୍ରୟାଗ ଅଭିମୁଖେ ।
ମହାକୁମ୍ଭ ପାଇଁ ୨ଟି ସ୍ଥାନରୁ ଆସିଛି ମାତୃଭକ୍ତିର ଭିନ୍ନ ଭିନ୍ନ ଚିତ୍ର । ଗୋଟିଏ ହେଲା ସୁଦେଶ ପାଲଙ୍କ କାହାଣୀ । ମୁଜଫରନଗର ସ୍ଥିତ ଖତୌଲ ବ୍ଲକରେ ରହୁଛନ୍ତି ୬୫ ବର୍ଷୀୟ ସୁଦେଶ ପାଲ । ତାଙ୍କର ୯୫ ବର୍ଷୀୟ ମା ଜଗବୀର ଦେବୀ ଏବର୍ଷ ମହାକୁମ୍ଭରେ ସ୍ନାନ କରିବାକୁ ଇଚ୍ଛା କରିଥିଲେ । ପୁଅ ସୁଦେଶ ମାଙ୍କ ଇଚ୍ଛା ପୂରା କରିବାକୁ ତାଙ୍କୁ ଟାଙ୍ଗାରେ ବସାଇ ନିଜେ ଟାଣି ଟାଣି ପ୍ରୟାଗରାଜ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରାୟ ୭୦୦ କିଲୋମିଟର ଯାତ୍ରା ଅତିକ୍ରମ କରିବା ପରେ ସେମାନେ ମହାକୁମ୍ଭ ଠାରେ ପହଞ୍ଚିବେ । ନିଜ ଯାତ୍ରା ସମ୍ପର୍କରେ ସୁଦେଶ କହିଛନ୍ତି, ସେ ଯାତ୍ରା ମଝିରେ ଆଣ୍ଠୁରେ ସମସ୍ୟା ଭୋଗିଥିଲେ, ହେଲେ ମାଙ୍କ ପ୍ରାର୍ଥନା ପାଇଁ ସେ ପୁଣି ଚାଲିବାରେ ସକ୍ଷମ ହୋଇଛନ୍ତି । ପ୍ରୟାଗରାଜରେ ମାଙ୍କ ବୁଡ଼ ପକାଇବା ପରେ ସେ ଫେରିବାକୁ ପଣ କରିଛନ୍ତି ।
ସେହିପରି ଆଉ ଜଣେ ମଧ୍ୟ ମାତୃଭକ୍ତି ଦେଖାଇଛନ୍ତି । ଆମେଠୀ ଜିଲ୍ଲାର କୁଶୱେରା ଗାଁର ମହେଶ ତିୱାରୀ ନାମକ ଜଣେ ଚାଷୀ ନିଜ ମାଙ୍କୁ କାନ୍ଧରେ ବୋହି ବୋହି ପ୍ରୟାଗରାଜ ନେଉଛନ୍ତି । ମାଙ୍କ ଇଚ୍ଛା ସଙ୍ଗମରେ ସ୍ନାନ କରିବେ, ହେଲେ ରେଳ ଷ୍ଟେସନରୁ ସଙ୍ଗମତଟକୁ ଯିବାକୁ ହେଲେ ବହୁତ ବାଟ ଚାଲିବାକୁ ପଡେ । ହେଲେ ମା ଏତେ ବାଟ ଚାଲିବାକୁ ସକ୍ଷମ ନୁହଁନ୍ତି । ସେଥିପାଇଁ ଶ୍ରବଣ କୁମାର ସାଜି ପୁଅ ନିଜ କାନ୍ଧରେ ବସାଇ ବୋହି ନେଉଛନ୍ତି । ସେଠାରେ ମାଙ୍କୁ ସ୍ନାନ କରାଇ ପୁଣିଥରେ କାନ୍ଧରେ ବସାଇ ରେଳ ଷ୍ଟେସନକୁ ନେଇଯାଇଥିଲେ ପୁଅ ମହେଶ ।
ଅଧିକ ପଢନ୍ତୁ: ମୌନୀ ଅମବ୍ୟାସା ପାଇଁ ଜନସମୁଦ୍ର ତ୍ରିବେଣୀ ତଟ; ଭିଡ଼ ଭିତରେ ଦିନ ୧୨ଟା ସୁଦ୍ଧା ୪ କୋଟି ଶ୍ରଦ୍ଧାଳୁ ପକାଇଲେ ବୁଡ, ଆସ୍ଥାର ମହାପର୍ବରେ ସାମିଲ ହୋଇ କଲେ ଅମୃତ ସ୍ନାନ
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ନିଜ ବୃଦ୍ଧ ବାପା-ମାଙ୍କୁ ବୋଝ ବୋଲି ଭାବୁଛନ୍ତି । କେହି କେହି ସେମାନଙ୍କୁ ଘରେ ରଖି ସେବା କରିବା ପରିବର୍ତ୍ତେ ସେବାଶ୍ରମରେ ଛାଡ଼ି ଚାଲିଆସୁଛନ୍ତି । ହେଲେ ମହାକୁମ୍ଭ ମେଳାରୁ ଆସିଥିବା ଏଇ ଦୁଇଟି ଦୃଶ୍ୟ ସେମାନଙ୍କ ହୃଦୟକୁ ନିଶ୍ଚିନ୍ତ ଭାବେ ବ୍ୟଥିତ କରିବ । ମାଙ୍କ ଇଚ୍ଛା ପୂରଣ କରିବାକୁ କିଭଳି ପୁଅ ଶ୍ରବଣ କୁମାର ସାଜିଛି ତାହା ବାସ୍ତବରେ ପ୍ରଂଶସାଯୋଗ୍ୟ ।