ଓଟାୱା: ଭାରତକୁ ବଦନାମ କରିବା ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଷଡ଼ଯନ୍ତ୍ର ପଦାକୁ ଆସିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଟ୍ରୁଡୋ ଅଭିଯୋଗ କରିଥିଲେ, କିନ୍ତୁ ଏବେ କାନାଡା କମିଶନଙ୍କ ରିପୋର୍ଟ ଏହାକୁ ଉଡାଇ ଦେଇଛି। ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାରେ କୌଣସି ବିଦେଶୀ ରାଷ୍ଟ୍ର ସହ କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ ବୋଲି କାନାଡ଼ାର ଜନ ତଦନ୍ତ ଆୟୋଗର ରିପୋର୍ଟରେ କୁହାଯାଇଛି। ସେପ୍ଟେମ୍ବର ୨୦୨୩ରେ ଟ୍ରୁଡୋ ଦାବି କରିଥିଲେ ଯେ ବ୍ରିଟିଶ କଲମ୍ବିଆର ସରେରେ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟମାନେ ସମ୍ପୃକ୍ତ ଥିବାର ବିଶ୍ୱସନୀୟ ପ୍ରମାଣ କାନାଡା ପାଖରେ ଅଛି।
କାନାଡାର ସଂଘୀୟ ନିର୍ବାଚନ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନରେ ବିଦେଶୀ ହସ୍ତକ୍ଷେପ ଉପରେ ତଦନ୍ତ କରୁଥିବା ପବ୍ଲିକ୍ ଇନ୍କ୍ୱାରି କମିଶନ ପରାମର୍ଶ ଦେଇଛନ୍ତି ଯେ ଟ୍ରୁଡୋଙ୍କ ଦାବି ପରେ ଭାରତ ଭୁଲ ସୂଚନା ପ୍ରସାର କରିଥାଇପାରେ, କିନ୍ତୁ ଏହି ହତ୍ୟାକାଣ୍ଡ କୌଣସି ନିର୍ଣ୍ଣାୟକ ବିଦେଶୀ ସଂପୃକ୍ତି ପ୍ରମାଣିତ କରିନାହିଁ। ତଦନ୍ତକାରୀ କମିଶନର ମେରି-ଜୋସି ହଗ୍ କହିଛନ୍ତି ଯେ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ସନ୍ଦିଗ୍ଧ ଭାରତୀୟ ଙ୍କ ସମ୍ପୃକ୍ତି ବିଷୟରେ ପ୍ରଧାନମନ୍ତ୍ରୀ (ଟ୍ରୁଡୋ)ଙ୍କ ଘୋଷଣା ପରେ ଆରମ୍ଭ ହୋଇଥିବା ଭୁଲ ସୂଚନା ଅଭିଯାନର ଏହା ଏକ ମାମଲା ହୋଇପାରେ। (ତଥାପି ପୁଣି କୌଣସି ବିଦେଶୀ ରାଷ୍ଟ୍ର ସହ ନିଶ୍ଚିତ ସମ୍ପର୍କ ସ୍ଥାପିତ ହୋଇନଥିଲା। )'
୧୨୩ ପୃଷ୍ଠାର ଏହି ରିପୋର୍ଟରେ ୨୦୨୪ ଅକ୍ଟୋବରରେ କାନାଡାରୁ ୬ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ଏହାର ଜବାବରେ ଭାରତ ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ଏହାର ହାଇ କମିଶନରଙ୍କୁ ଫେରାଇ ଆଣିଥିଲା। ନିଜ୍ଜରଙ୍କ ହତ୍ୟା କୁ ନେଇ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଏକ ନୂଆ ନିମ୍ନସ୍ତରରେ ପହଞ୍ଚିଛି। ନୂଆଦିଲ୍ଲୀ ଏହି ଅଭିଯୋଗକୁ ଅଯଥା ଓ ଭିତ୍ତିହୀନ ବୋଲି ଖଣ୍ଡନ କରିଛି।
କାନାଡାରେ ଖଲିସ୍ତାନ ସମର୍ଥକ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଥିବାରୁ ଟ୍ରୁଡୋ ସରକାରଙ୍କୁ ସମାଲୋଚନା କରିଛି ଭାରତ। କାନାଡାରେ ଖଲିସ୍ତାନ ସମର୍ଥକ ଉଗ୍ରବାଦୀଙ୍କ ଉପସ୍ଥିତିକୁ ମଧ୍ୟ ତଦନ୍ତ କମିଶନ ସ୍ୱୀକାର କରିଛନ୍ତି ଏବଂ ଭାରତର ଚିନ୍ତାକୁ ଯଥାର୍ଥ ବୋଲି କହିଛନ୍ତି। ୨୦୨୩ ଜୁନ୍ ୧୮ ରେ ବ୍ରିଟିଶ କଲମ୍ବିଆର ସରେସ୍ଥିତ ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା।