ପାଟନା: ବିହାରର କଂଗ୍ରେସ ସାଂସଦଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । କୈମୁର ଜିଲ୍ଲା କୁଦରା ନିକଟରେ ଗ୍ରାମବାସୀଙ୍କ ଆକ୍ରୋଶ ଶୀକାର ହୋଇଛନ୍ତି ସାସାରାମ ସାଂସଦ ମନୋଜ କୁମାର । ପ୍ରଥମେ ତାଙ୍କୁ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ପାଟନା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, କୁଦରା ଥାନା ନାଥପୁରରେ ପିଏସି ନିର୍ବାଚନର ମତ ଗଣନା ଥିଲା । ଯେଉଁଥିରେ ବିଜୟୀ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଯାଉଥିଲେ । ଏହି ସମୟରେ ସାଂସଦ ମନୋଜ କୁମାରଙ୍କ ବିଦ୍ୟାଳୟ ନିକଟେର ଏକ ବସ୍ ଛିଡ଼ା ହୋଇଥିବାରୁ ଶୋଭାଯାତ୍ରା ଅଟକି ଯାଇଥିଲା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ପରେ ଝଗଡ଼ାର ସମାଧାନ ହେବା ପରେ ପୁଣି ଥରେ ଶୋଭାଯାତ୍ରା ଆଗକୁ ବଢ଼ିଥିଲା । ତେବେ ଦୁଇ ଜଣ ବ୍ୟକ୍ତି ପଛରେ ରହିଯାଇଥିଲେ । ସେମାନଙ୍କୁ ସ୍କୁଲ କର୍ମଚାରୀମାନେ ମାରପିଟ୍ କରିଥିଲେ । ନାଥପୁର ଗ୍ରାମବାସୀଙ୍କ ନିକଟରେ ଏହି ଖବର ପହଁଚିବା ଖଣି ସେମାନେ ବିଦ୍ୟାଳୟ ନିକଟରେ ଏକଜୁଟ ହୋଇଯାଇଥିଲା । ଏହା ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।
ବିବାଦ ତୁଟାଇବାକୁ ସାଂସଦ ମନୋଜ କୁମାର ସେଠାରେ ପହଁଚି ଯାଇଥିଲେ । ମାତ୍ର ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନ ଥିଲେ ମନୋଜ କୁମାର । ତାଙ୍କୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।