ଭୋଗରାଇ: ରାଜ୍ୟର ପ୍ରମୁଖ ହସ୍ପିଟାଲ ଅଶ୍ୱିନୀ ହସ୍ପିଟାଲର ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ତାଙ୍କ ଗାଡ଼ି ଏକ ଦୁର୍ଘଟଣା ଘଟାଇଥିବାବେଳେ ତାଙ୍କ ଡ୍ରାଇଭର ବନ୍ଧୁକ ଦେଖାଇ ଦେଇଛନ୍ତି ହତ୍ୟା ଧମକ । ଏ ନେଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଗୁରୁବାର ସକାଳ ପ୍ରାୟ ୦୯ଟା ୪୫ ମିନିଟ୍ ସମୟରେ ଭୋଗରାଇ ଥାନା ଫୁଲବଣୀ ଗ୍ରାମର ଶମ୍ଭୁନାଥ ଦାସ ନାମକ ଜଣେ ଯୁବକ ଚନ୍ଦନେଶ୍ୱରରୁ ବାଇକ ଯୋଗେ ଘରକୁ ଫେରୁଥିଲେ । ହଠାତ ନାଫରାଇ ହାଟ ଇସ୍କନ ମନ୍ଦିର ସାମ୍ନାରେ ପଛପଟୁ ଏକ ଦ୍ରୁତଗାମୀ କାର ତାଙ୍କ ବାଇକକୁ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲା । ଉକ୍ତ ଗାଡ଼ିର ନମ୍ବର ଥିଲା OD-05BU-7860 । ତେବେ ଯୁବକ ଜଣକ କାରର ପିଛା କରି ଗାଡି ନମ୍ବର ଫୋଟ ଉଠାଇବାକୁ ଚେଷ୍ଟା କରିଥିଲେ । ଏହା ପରେ କାରଟି ଅଟକି ଥିଲା ଏବଂ ଡ୍ରାଇଭର ସହ କିଛି ବ୍ୟକ୍ତି ଓହ୍ଲାଇ ଆସି ତାଙ୍କୁ ଟଣା ଘୋଷରା କରିବା ଆରମ୍ଭ ଥିଲେ । ଏହା ସହ ତାଙ୍କର ମୋବାଇଲ ଛଡାଇ ନେଇଥିଲେ । ଯୁବକ ଜଣକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କ କାରର ଡ୍ରାଇଭର ଏକ ବନ୍ଧୁକ ଆଣି ବାଇକ ଚାଳକ ମୁଣ୍ଡରେ ଲଗାଇ ଗୁଳି ଫୁଟାଇ ମାରି ଦେବାକୁ ଧମକ ଦେଇଥିଲେ । ସ୍ଥାନୀୟ ଲୋକେ ତେବେ ପରବର୍ତୀ ସମୟରେ ସେହି କାରରେ ଥିବା ବ୍ୟକ୍ତି ଅଶ୍ୱିନୀ ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ସୁବ୍ରତ ଜେନା ବୋଲି ଜଣାପଡ଼ିଥିଲା । ତାଙ୍କ ସହିତ ତାଙ୍କ ପତ୍ନୀ ତଥା ନିର୍ଦ୍ଦେଶିକା ଡାକ୍ତର ମାୟା ଗନ୍ତାୟତ ମଧ୍ୟ ବସିଥିଲେ ।
ତେବେ ଏ ନେଇ ସମ୍ପୃକ୍ତ ଯୁବକ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ତେବେ ଏ ନେଇ ଅଶ୍ୱିନୀ ହସ୍ପିଟାଲ ଚେୟାରମ୍ୟାନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।