ଯାଜପୁର: ପ୍ରେମ ପାଇଁ ପ୍ରେମିକ-ପ୍ରେମିକା ସୀମା ଲଙ୍ଘିବାର ଅନେକ ଖବର ପ୍ରକାଶ ପାଇଛି। ତେବେ ଯାଜପୁରରେ ଏମିତି ଘଟଣା ଘଟିଛି, ଯାହା ସଭିଙ୍କୁ ଚକିତ କରି ଦେଇଛି। ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା। ଆଉ ନିଶା ମିଶା ଖାଦ୍ୟ ଖାଇ ଅସୁସ୍ଥ ପରିବାର ଲୋକଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ଚିକିତ୍ସାଧୀନ ଥିବା ବାପା ମାଙ୍କ ସମେତ ୫ ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁର ବିଜୟ ସେଠୀଙ୍କ ୧୩ ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ଫେରାର ମାରିଛି। ସେହି ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ଅସୁସ୍ଥ ହୋଇ ଯାଜପୁର ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରେମିକ ଜଣକ ପାଠ ପଢୁଥିବା ଜଣା ଯାଇଛି। ନାବାଳିକା ଘରୁ ସୁନା ଗହଣା ସହ ୨୨ ହଜାର ଟଙ୍କା ନେଇ ପ୍ରେମିକ ସହ ନାବାଳିକା ଫେରାର ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।