କେନ୍ଦୁଝର : ସୋମବାର ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦୁଝରରେ ୧୧୫୪ କୋଟି ଟଙ୍କା ବ୍ୟୟରେ ୩୪୦ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିପ୍ଳବୀ ଧରଣୀଧରଙ୍କ ମାଟି କୁସୁମିତାରେ ୧୬୨ତମ ରାଜ୍ୟସ୍ତରୀୟ ଧରଣୀଧର ଜୟନ୍ତୀରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି । ଏଥିସହ କୁସୁମିତାକୁ ଐତିହ୍ୟ ଗ୍ରାମର ମାନ୍ୟତା ରୂପେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କୁସୁମିତାରେ ହେଲିକ୍ୟାପ୍ଟର୍ ଯୋଗେ ଆସି ପହଞ୍ଚି କୁସୁମିତାରେ ବିପ୍ଲବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସାରିବା ପରେ ଧରଣୀଧରଙ୍କ ଦାୟାଦଙ୍କୁ ଭେଟି ଭାବର ଆଦାନ ପ୍ରଦାନ କରିଥିଲେ । ସେଠାରୁ ଉପର କୁସୁମିତା ଆସି ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇଥିଲେ । ତାଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , କେନ୍ଦୁଝର ସାଂସଦ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟଣା ,ତେଲକୋଇର ବିଧାୟକ ସାମିଲ ହୋଇଥିଲେ । ଏହି ଜୟନ୍ତୀ ଅବସରରେ ମେଗା ଷ୍ଟିଲ ପ୍ଲାଣ୍ଟକୁ ଦୋହରାଇବା ସହ, ଶିକ୍ଷା, ନିଯୁକ୍ତି ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ସହ ଏହି ମାଟି ବିକଶିତ ଓଡିଶା ଗଢିବାକୁ ପ୍ରେରଣା ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।