ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟର ଯୁଦ୍ଧର ସମ୍ଭାବନା ଧିରେ ଧିରେ ବଢ଼ିବାରେ ଲାଗିଛି । ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ସତର୍କ ଓ ସୁରକ୍ଷିତ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟଗୁଡ଼ିକୁ ମକ୍ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରଣାଳୟ । ବିଶେଷ କରି ପାକିସ୍ତାନ ସୀମା ବର୍ତ୍ତୀ ରାଜ୍ୟଗୁଡ଼ିକ ଏହା ପ୍ରତି ଧ୍ୟାନ ଦେବେ ।
ସରକାରୀ ସୂତ୍ର ଅନୁଯାୟୀ, ଆସନ୍ତା ୭ ତାରିଖରେ ସମସ୍ତ ରାଜ୍ୟଗୁଡ଼ିକରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ମକଡ୍ରିଲର ଅଭ୍ୟାସ କରିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି । ଯୁଦ୍ଧ ସମୟରେ ଆକାଶ ମାର୍ଗରୁ ଆକ୍ରମଣ ହେଲେ କେମିତି ରକ୍ଷା ପାଇବେ ତାହା ଉପରେ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ରହିଛି । କେଉଁ ବିନ୍ଦୁ ଉପରେ ଉପରେ ହେବ ମକ୍ ଡ୍ରିଲ୍ ନଜର ପକାନ୍ତୁ...
- ଆକାଶରୁ ହମଲାର ଚେତାବନୀ ଦେଉଥିବା ସାଇରନର ସଞ୍ଚାଳନ।
- ଆକ୍ରମଣ ସ୍ଥିତିରେ ନିଜକୁ ବଞ୍ଚାଇବା ପାଇଁ ନାଗରିକଙ୍କ ସୁରକ୍ଷା ଦିଗରେ ନାଗରିକ, ଛାତ୍ର-ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ।
- ହମଲା ସ୍ଥିତିରେ କେମିତି ନିଜକୁ ବଞ୍ଚାଇବେ ? ସେହି ଉପାୟ ବିଷୟରେ ଲୋକଙ୍କୁ ଜଣାଇବା ଓ ପ୍ରଶିକ୍ଷଣ ଦେବା।
- ବ୍ଲାକ୍ ଆଉଟ୍ ବେଳେ ବା ବିଦ୍ୟୁତ କାଟ୍ ହେଲା ବେଳେ କିପରି ନିଜକୁ ସୁରକ୍ଷିତ ରଖିବେ ?
- ଗୁରୁତ୍ଵପୂର୍ଣ୍ଣ ପ୍ଲାଣ୍ଟ/ପ୍ରତିଷ୍ଠାକୁ ଯୁଦ୍ଧ ସମୟରେ ବଞ୍ଚାଇବା ଓ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବା।
- ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାର ଅଭ୍ୟାସ ।
ଏହା ପୂର୍ବରୁ ଏପରି ଅଭ୍ୟାସ ବା ମକଡ୍ରିଲ ୧୯୭୧ ମସିହାରେ କରାଯାଇଥିଲା, ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେହିପରି ୧୯୯୯ କାର୍ଗିଲ୍ ଯୁଦ୍ଧ ପୂର୍ବରୁ ମଧ୍ୟ ଏଭଳି ମକ୍ ଡ୍ରିଲ୍ ହୋଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଏପରି ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି ଭୟ ଯୋଗୁଁ ପାକିସ୍ତାନ କେତେବେଳେ ଜାତିସଂଘ ଆଗରେ ତ କେତେବେଳେ ଆମେରିକା ଆଗରେ ନିବେଦନ କରୁଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ପଞ୍ଜାବର ଫିରୋଜପୁରରେ ମଧ୍ୟ କ୍ୟାଣ୍ଟନମେଣ୍ଟ ବୋର୍ଡ ରବିବାର ୩୦ ମିନିଟ୍ ଧରି ବ୍ଲାକଆଉଟ୍ ଅଭ୍ୟାସ କରିଥିଲା । ରାତି ୯ଟାରୁ ୯.୩୦ ପର୍ଯ୍ୟନ୍ତ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଏହି ବ୍ଲାକଆଉଟ୍ ଅଭ୍ୟାସ କରାଯାଇଥିଲା । ଏହି ଅଭ୍ୟାସର ଲକ୍ଷ୍ୟ ହେଉଛି ଯୁଦ୍ଧର ବିପଦ ସମୟରେ ବ୍ଲାକଆଉଟ୍ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଏବଂ ଏହାର ପ୍ରଭାବଶାଳୀତା ସୁନିଶ୍ଚିତ କରିବା। ୧. ବିମାନ ଆକ୍ରମଣ ଚେତାବନୀ ସାଇରନ୍ ପରିଚାଳନା ।