ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଭୀଷଣ ଆତଙ୍କୀ ହମଲା ପରେ ପୂରା ଆକ୍ସନ ମୋଡରେ ନରେନ୍ଦ୍ର ମୋଦୀ ମୋଦୀ ସରକାର । ରବିବାର ବାୟୁ ସେନା ମୁଖ୍ୟଙ୍କ ସହ ଆଲୋଚନା ପରେ ଆଜି ପ୍ରତିରକ୍ଷା ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ପିଏମ ମୋଦୀ । ଏହି ବୈଠକ ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ଭାରତ ପାକିସ୍ତାନକୁ ଉଚିତ୍ ଜବାବ ଦେବା ଦିଗରେ ଆଗକୁ ବଢୁଛି । ସମଗ୍ର ଦେଶ ଚାହିଁ ରହିଛି ଭାରତ କେବେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବ ।
ଏହା ପୂବ୭ରୁ ରବିବାର ନେଭି ଚିଫ୍ ଆଡମିରାଲ ଦିନେଶ ତ୍ରିପାଠୀ ଶନିବାର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନରେ ପିଏମ ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ତିନି ସେନାର ମୁଖ୍ୟଙ୍କ ସହ ବୈଠକ କରିଥିଲେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।
ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି(ସିସିଏସ)ର ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହା ପରେ ସରକାର ତିନି ସେନାଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି । କେଉଁ ସମୟରେ, କେବେ ଏବଂ କେଉଁଠି ପାକିସ୍ତାନରକୁ ଜବାବ ଦିଆଯିବ ତାର ନିଷ୍ପତ୍ତି ସେନା ଉପରେ ଛାଡିଛନ୍ତି ମୋଦୀ ସରକାର ।
ଏବେ ମୋଦୀ ସରକାର ପାକିସ୍ତାନର ଆତଙ୍କବାଦ ଫଣ୍ଡିଂ ରୋକିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ ଓ ଏଫଏଟିଏଫ ଯିବାକୁ ପ୍ରସ୍ତୁତି କରୁଛି । ଏମିତି ହେଲେ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତା ହ୍ରାସ ପାଇବ । ମୋଦୀ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଆତଙ୍କବାଦର ସମର୍ଥନ କରୁଥିବା ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଏକଘରିଆ କରାଯିବ ।
ସୂଚନାଯୋଗ୍ୟ, କାଶ୍ମୀର ଉପତ୍ୟକାରେ ଆତଙ୍କୀ ହମଲା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏପ୍ରିଲ ୧୯ ତାରିଖ ପାଖାପାଖି ହମଲା କରିବାକୁ ଆତଙ୍କୀ ଯୋଜନା କରିଥିବା ଏଥିରେ କୁହାଯାଇଥିଲା । ରିପୋର୍ଟରେ ହମଲାର ସ୍ଥଳ ଶ୍ରୀନଗର ଉଲ୍ଲେଖ ରହିଥିଲା । ତେଣୁ ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କିନ୍ତୁ ଆତଙ୍କବାଦୀ ଯୋଜନା ବଦଳାଇ ପହଲଗାମର ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ୨୬ ଜଣଙ୍କ ହତ୍ୟା କରିଥିଲେ । ଏହା ପରେ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିନ୍ଦୁ ଜଳ ଚୁକ୍ତି ରଦ୍ଦ ଘୋଷଣା କରିଥିଲେ । ଭାରତର ଏହି ଆଭିମୁଖ୍ୟରେ ଚିହିଁକି ଉଠିଛି ପାକିସ୍ତାନ ।