ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଆସିଥିବା ପୁଣି ଏକ ଆବେଦନକାରୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏ ସମ୍ପର୍କିତ ମାମଲାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଆପଣଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ? କେବଳ ନିଜର ପ୍ରଚାର ପ୍ରସାର ନା କିଛି ଉପଯୁକ୍ତ କାରଣ ଅଛି ? ଆବେଦନକାରୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ ।
ଜମ୍ମୁ କାଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଆସିଥିବା ଏକ ଆବେଦନ ଉପରେ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଏବଂ ନ୍ୟାୟାଧୀଶ ଏନ୍ କୋଟିଶ୍ୱର ସିଂହ ଆଜି ଶୁଣାଣି କରି ଆବେଦନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି । ଗ୍ରୀଷ୍ମ ଛୁଟିରେ ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ସୁରକ୍ଷା ସମ୍ବନ୍ଧିତ ମାମଲା ଦାୟର କରିଥିଲେ । ବିଚାରପତି ଦେଶର ଏତେବେଡ଼ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରତିପକ୍ଷଙ୍କୁ କଡ଼ା ଶବ୍ଦରେ ଶୁଣାଇଛନ୍ତି । ଆଇନଜୀବୀ ବିଶାଲ ତ୍ୱିଆରୀଙ୍କୁ ଖଣ୍ଡପୀଠ ପଚାରିଥିଲେ, ଏହି ପିଆଇଏଲ୍ କୌଣସି ସାର୍ବଜନୀନ କାରଣ ନା କେବଳ ପ୍ରଚାର ପାଇଁ ଥିଲା। ଆପଣ ଏପରି ପିଆଇଏଲ୍ କାହିଁକି ଦାୟର କରିଛନ୍ତି ? ଆପଣଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ? ଆପଣ କ'ଣ ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ବୁଝିପାରୁନାହାଁନ୍ତି କି ? ମୁଁ ଭାବୁଛି ଆପଣ ଏହି ପିଆଇଏଲ୍ ଦାୟର କରିବା ପାଇଁ କିଛି ଦୃଷ୍ଟାନ୍ତମୂଳକ ପାଉଣା ନେଇଛନ୍ତି ବୋଲି କହିଥିଲେ କୋର୍ଟ । ଆବେଦନକାରୀଙ୍କ ଓକିଲ ବିଶାଲ ତିୱାରୀ କହିଛନ୍ତି ଯେ ଏହା ପ୍ରଥମ ଥର ଘଟିଛି ଯେଉଁଠି ଜମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଛି, ତେଣୁ ସେ ସେମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନା ମାଗୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ସିଧାସଳଖ ମନା କରିଥିଲେ । ଆମେ ଦେଶର ସୁରକ୍ଷା ବିଶେଷଜ୍ଞ କେବେଠାରୁ ହୋଇ ଗଲୁ ବୋଲି ଆବେଦନକାରୀଙ୍କ ଓକିଲକୁ କହିଥିଲେ । ବିଚାରପତିଙ୍କ କାମ କେବଳ ବିବାଦର ସମାଧାନ କରିବା ବୋଲି କହିଥିଲେ କୋର୍ଟ । ପହଲଗାମ ପ୍ରସଙ୍ଗରେ ଏକ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କରିବାକୁ ଆବେଦନ କରାଯାଇଥିଲା ।
ଅଧିକ ପଢ଼ନ୍ତୁ- ସେନାର ମନୋବଳ ଭାଙ୍ଗିବାକୁ ଚାହୁଁଛ କି ? ପହଲଗାମ ଆକ୍ରମଣକୁ ନେଇ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ