ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ଆତଙ୍କୀ ହମଲାରେ ସହିଦ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ନରୱାଲଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲିଂର ସାମ୍ନା କରିବାକୁ ପଡିଛି । ଏହାର କିଛି ଦିନ ପୂର୍ବରୁ ହିମାଂଶୀ ଦେଶବାସୀଙ୍କୁ ମୁସଲିମ ଓ କାଶ୍ମୀରୀଙ୍କ ପ୍ରତି ଘୃଣାଭାବ ପ୍ରଚାର ନ କରିବାକୁ ଅପିଲ୍ କରିଥିଲେ । ଏହା ପରେ କିଛି ଲୋକ ତାଙ୍କ ଟିପ୍ପଣୀ ଉପରେ ଆପତ୍ତି ଉଠାଇ ତାଙ୍କୁ ଟାର୍ଗେଟ୍ କରିଥିଲେ । ଏହି ମାମଲାରେ ଜାତୀୟ ମହିଳା ଆୟୋଗ କଡା ଆଭିମୁଖ୍ୟ ଗ୍ରହଣ କରି ଟ୍ରୋଲିଂ କରୁଥିବା ଲୋକଙ୍କ କଡା ନିନ୍ଦା କରିବା ସହ ଏହା ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି ।
ଜାତୀୟ ମହିଳା ଆୟାଗ କହିଛନ୍ତି, କୌଣସି ବି ମହିଳାଙ୍କୁ ତାଙ୍କର ବିଚାରଗତ ଅଭିବ୍ୟକ୍ତି କିମ୍ବା ବ୍ୟକ୍ତିଗତ ଜୀବନ ଆଧାରରେ ଟ୍ରୋଲିଂ କରାଯିବା କଦାପି ଉଚିତ୍ ନୁହେଁ । ହିମାଂଶୀ ଗୁରୁବାର କହିଥିଲେ ଯେ, ଆମେ ଚାହୁଁନୁ ଯେ, ଲୋକେ ମୁସଲମାନ ଓ କାଶ୍ମୀରୀଙ୍କ ପଛରେ ପଡନ୍ତୁ । ହିମାଂଶୀଙ୍କୁ ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଗଲା ।
ଏହି ମାମଲାରେ ମହିଳା ଆୟୋଗ କହିଛନ୍ତି, ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ମୃତ୍ୟୁ ପରେ ଯେଉଁଭଳି ତାଙ୍କ ପତ୍ନୀ ହିମାଂଶୀ ନରୱାଲଙ୍କୁ ତାଙ୍କ ବୟାନ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି, ତାହା ଅତି ଦୁଭାର୍ଗ୍ୟପୂର୍ଣ୍ଣ । ଆୟୋଗ ସ୍ୱୀକାର କରିଛନ୍ତି ଯେ, ହୋଇପାରେ ତାଙ୍କ ଟିପ୍ପଣୀ ଲୋକଙ୍କୁ ପସନ୍ଦ ଆସିନି ତଥାପି କାହାରି ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏମିତି ଟାର୍ଗେଟ୍ କରାଯାଇ ପାରିବ ନାହିଁ । ଲୋକଙ୍କୁ ନିଜର ମର୍ଯାଦାରେ ରହିବା ଉଚିତ୍ ।
ସୂଚନାଯୋଗ୍ୟ, ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ଓ ହିମାଂଶୀଙ୍କ ମଧ୍ୟରେ ପହଲଗାମ ହମଲାର ୬ ଦିନ ପୂର୍ବରୁ ବିବାହ ହୋଇଥିଲା । ଏପ୍ରିଲ ୧୬ରେ ଉତ୍ତରାଖଣ୍ଡର ମସୁରୀରେ ହୋଇଥିଲା । ବିନୟଙ୍କୁ ଆତଙ୍କବାଦୀ ତାଙ୍କ ଧର୍ମ ପଚାରି ଗୁଳି କରି ହତ୍ୟା କରିଥିଲେ । ଏହି ହମଲାର ଫଟୋରେ ହିମାଂଶୀଙ୍କୁ ନିଜ ସ୍ୱାମୀଙ୍କ ମୃତଦେହ ନିକଟରେ ବସିଥିବାର ହୃଦୟ ବିଦାରକ ଚିତ୍ର ଭାଇରାଲ୍ ହୋଇଥିଲା । ଏହି ଦୃଶ୍ୟ ଦେଶବାସୀଙ୍କୁ ଭାବୁକ କରିଥିଲା ।
ହମଲା ପରେ ହିମାଂଶୀ ଦେଶରେ ଶାନ୍ତି ଓ ଏକତାର ଅପିଲ୍ କରିଥିଲେ । ସେ ଲେଖିଥିଲେ, ମୁଁ ଚାହୁଁଛି ପୂରା ଦେଶ ମୋ ସ୍ୱାମୀଙ୍କ ପ୍ରତି ପ୍ରାର୍ଥନା କରନ୍ତୁ ଯଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ଏହା ସହିତ ସେ ଏହା ମଧ୍ୟ କହିଥିଲେ, ଲୋକେ ମୁସଲିମ କିମ୍ବା କାଶ୍ମୀରୀଙ୍କ ବିରୋଧରେ ଘୃଣା ପ୍ରଚାର ନ କରନ୍ତୁ । ଆମକୁ ଶାନ୍ତି ଦରକାର, କେବଳ ଶାନ୍ତି । ସେ ଏହି ଟିପ୍ପଣୀ ମେ ୧ରେ କରନାଲରେ ଆୟୋଜିତ ଏକ ରକ୍ତଦାନ ଶିବିର ସମୟ ଦେଇଥିଲେ । ବିନୟଙ୍କ ସ୍ମୃତିରେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।