ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ ଥମିବାର ନାଁ ନେଉନି। ନବ ନିର୍ମିତ ମନ୍ଦିର ପାଖରେ ଲାଗିଥିବା ଜଗନ୍ନାଥ ଧାମ ଫଳକକୁ ପ୍ରବଳ ବିରୋଧ ପରେ ହଟାଇ ଦିଆଯାଇଛି। ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ। ସେ ଲେଖିଛନ୍ତି, ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ କାଢ଼ିଥିବା ସୂଚନା ମିଳିଛି। ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘ଢ’ରେ ଲେଖିଛନ୍ତି। ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।
ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ମମତାଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର। ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଥିଲେ । ବିବାଦ ତେଜିବା ପରେ ଏବେ ପଛକୁ ହଟିଛନ୍ତି ମମତା । ଆଉ ଅନେକ ବାଦ ବିବାଦ ପରେ ଦୀଘା ମନ୍ଦିର ନିକଟରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟାଇ ଦିଆଯାଇଛି। ହେଲେ ଏବେ ବି ଓ୍ବେବ୍ସାଇଟ୍ ରହିଥିବା ଦେଖିବାକୁ ମିଳିଛି।