ଜମ୍ମୁ: ପହଲଗାମ ଆତଙ୍କୀ ହମଲାରେ ସଂପୃକ୍ତ ଆତଙ୍କୀ ଓ ଏହାର ସହଯୋଗୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଏହା ମଧ୍ୟରେ କୁଲଗାମ ଜିଲ୍ଲାର ଟଙ୍ଗମର୍ଗରେ ପଚରା ଉଚୁରା ପାଇଁ ହେପାଜତରେ ନିଆଯାଇଥିବା ଯୁବକ ଫେରାର ମାରିବା ଉଦ୍ୟମରେ ନଦୀକୁ ଡେଇଁ ପଡିଥିଲା । ଫଳରେ ପାଣିରେ ବୁଡି ତାର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରସାରିତ ହେଉଥିବା ଭିଡିଓରେ ଯୁବକ ନଦୀକୁ ଡେଉଁଥିବା ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତି ଆତଙ୍କବାଦୀଙ୍କ ସହଯୋଗୀ ଥିବା ପୋଲିସ କହିଛି । ଉକ୍ତ ଯୁବକର ନାଁ ଇମତିୟାଜ ଅହମ୍ମଦ(୨୩) ।
ଇମତିୟାଜ ମାଗରେ ଅହରବଲ ଅଞ୍ଚଳର ବାସିନ୍ଦା । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପଚରାଉଚୁରା ପାଇଁ ଟଙ୍ଗିମର୍ଗ ଅଞ୍ଚଳରୁ ଇମତିୟାଜକୁ ପୋଲିସ ଉଠାଇଥିଲା । ଜେରା ସମୟରେ ସେ ସ୍ୱୀକାର କରିଥିଲା ଯେ, ଆତଙ୍କବାଦୀଙ୍କ ପାଇଁ ଖାଇବା ଓ ଅନ୍ୟ ବ୍ୟବସ୍ଥା କରାଇଥିଲା ।
ଜେରା ଆଧାରରେ ସୁରକ୍ଷାବଳ ଓ ରାଜ୍ୟ ପୋଲିସ ଇମତିୟାଜକୁ ରବିବାର ସକାଳେ ଆତଙ୍କବାଦୀଙ୍କ ଏକ ଠିକଣାକୁ ଧରି ଯାଉଥିଲେ । ଏହି ସମୟରେ ସେ ଫେରାର ମାରିବାକୁ ଉଦ୍ୟମ କରିଥିଲା ଏବଂ ବିଶ୍ୱା ନଦୀକୁ ଡେଇଁ ପଡିଥିଲା । ଜଳ ପ୍ରବାହ ତୀବ୍ର ଥିବା କାରଣରୁ ସେ ଭାସି ଯାଇଥିଲା । ଏହି ପୂରା ଘଟଣା ଏକ କ୍ୟାମେରାରେ କଏଦ ହୋଇ ଯାଇଛି ।
ଯୁବକଙ୍କ ପରିଜନ ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଉତ୍ତେଜିତ ପରିବାର ଲୋକେ ମୃତଦେହକୁ ପୋଲିସ ଦେବାକୁ ମନା କରୁଥିଲେ । ବହୁତ ବୁଝାଇବା ପରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପୋଲିସକୁ ହସ୍ତାନ୍ତର କରିଥିଲେ ।
ଅନ୍ୟପଟେ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଏକ୍ସରେ ଲେଖିଛନ୍ତି, କୁଲଗାମର ଏକ ନାଳରୁ ଏକ ଶବ ଜବତ ହୋଇଛି । ଏଥିରେ ଗଡବଡର ଗମ୍ଭୀର ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଇମତିୟାଜକୁ ସୁରକ୍ଷାବଳ ଉଠାଇ ନେଇଥିଲେ । ଏବେ ରହସ୍ୟମୟ ଭାବେ ତାର ମୃତଦେହ ନାଳରୁ ମିଳିଛି । ଏହି ଘଟଣାରେ ନିରପେକ୍ଷ ତଦନ୍ତ ଆବଶ୍ୟକତା ରହିଛି ।