ନୂଆଦିଲ୍ଲୀ: ପହଲଗାମର ପ୍ରତିଶୋଧରେ ଆତଙ୍କବାଦୀଙ୍କ ମୂଳୋତ୍ପାଟନର ମାଷ୍ଟର୍ ପ୍ଲାନ୍ ବନାଉଥିବା ଭାରତ ସରକାରକୁ ଏବେ ବିଶ୍ୱ ନେତୃବୃନ୍ଦ ସାଥ୍ ଦେବାକୁ ପ୍ରତିଶ୍ରୁତି ଦେଲେଣି । ଏହି ଅଭିଯାନରେ ବିଶ୍ୱ ଶକ୍ତିଶାଳୀ ଦେଶରେ ଗଣା ହେଉଥିବା ରୁଷିଆ ପ୍ରତିଶ୍ରୁତିର ହାତ ବଢ଼ାଇଛି । ଏ ନେଇ ଦୁଇ ଦେଶର ମୁଖ୍ୟ ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ୍ ଯୋଗେ ବାର୍ତ୍ତାଳାପ କରିଥିବାର ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ।
ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହି ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଗଭୀର ସମବେଦନା ଜଣାଇବା ସହିତ ଆତଙ୍କବାଦୀ ବିରୁଦ୍ଧ ଲଢ଼େଇରେ ଭାରତକୁ ସମ୍ପୂର୍ଣ୍ଣ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘୃଣ୍ୟ ଆକ୍ରମଣର ଅପରାଧୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନ୍ୟାୟର ଅଦାଲତକୁ ଆଣିବା ଉଚିତ ବୋଲି ପୁଟିନ ଗୁରୁତ୍ୱାରୋପ କରିଛନ୍ତି । ଦୁଇ ନେତା ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ବିଜୟ ଦିବସର ୮୦ତମ ବାର୍ଷିକୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି ।