ନୂଆଦିଲ୍ଲୀ: ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଶଙ୍କରାଚାର୍ଯ୍ୟ ବର୍ତ୍ତମାନ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ବଡ଼ ବୟାନ ଦେଇଛନ୍ତି । ହିନ୍ଦୁ ଧର୍ମର ଶାସ୍ତ୍ରକୁ ଅପମାନ କରିଥିବାରୁ ତାଙ୍କୁ ହିନ୍ଦୁ ଧର୍ମରୁ ବହିଷ୍କାର କରିବାକୁ ଶଙ୍କରାଚାର୍ଯ୍ୟ ଘୋଷଣା କରିଛନ୍ତି । ତେବେ ସତରେ କଣ ଜଣଙ୍କୁ ଧର୍ମରୁ ବହିଷ୍କାର କରିବାର କ୍ଷମତା ଶଙ୍କରାଚାର୍ଯ୍ୟଙ୍କ ପାଖରେ ରହିଛି ତାହା ଏଠାରେ ଆଲୋଚନା ଯୋଗ୍ୟ ।
ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ସଂସଦରେ ମନୁସ୍ମୃତିକୁ ଅପମାନ କରିଛନ୍ତି । ସେ ଏକ ପ୍ରସଙ୍ଗରେ କହିଥିଲେ ଯେ ବଳାତ୍କାରୀଙ୍କୁ ବଞ୍ଚାଇବାର ସୂତ୍ର ସମ୍ବିଧାନରେ ନାହଁ ବରଂ ମନୁସ୍ମୃତିରେ ଲେଖା ଅଛି । ସେଥିପାଇଁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ସେ ତାହାର ଜବାବ ଦେବାକୁ ଉଚିତ୍ ମନେ କଲେ ନାହିଁ କିମ୍ବା ଦୁଃଖ ପ୍ରକାଶ କଲେ ନାହିଁ । ଯଦି ଜଣେ କେହି କ୍ରମାଗତଭାବେ ହିନ୍ଦୁ ଧର୍ମକୁ ଅପମାନିତ କରିବ, ଆଉ ତାହାର ଜବାବ ଦେବେ ନାହିଁ ତେଣୁ ତାଙ୍କୁ ହିନ୍ଦୁ ଧର୍ମରେ ସ୍ଥାନ ଦିଆଯାଇ ପାରିବ ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
ତେବେ ଏହାକୁ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି । ସତରେ କଣ କାହାକୁ ଶଙ୍କରାଚାର୍ଯ୍ୟ ଜଣକୁ ଧର୍ମରୁ ବହିଷ୍କାର କରି ପାରିବେ ? ଭାରତରେ ଚାରି ମଠରେ ଚାରି ଜଣ ହିନ୍ଦୁ ଧର୍ମଗୁରୁ ବା ଶଙ୍କରାଚାର୍ଯ୍ୟ ରହିଛନ୍ତି । କିନ୍ତୁ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ନିକଟରେ ଜଣଙ୍କୁ ଧର୍ମରୁ ବହିଷ୍କାର କରିବାର ସେମିତି କିଛି ବିଶେଷ ଅଧିକାର ନାହିଁ । ହଁ, କେବଳ ଏମିତି ହୋଇପାରେ, ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ମନ୍ଦିର ଗୁଡ଼ିକରେ ପ୍ରବେଶ ଅନୁମତି ମିଳି ନ ପାରେ । କିନ୍ତୁ କଂଗ୍ରେସ ଶାସିତ ରାଜ୍ୟରେ ତାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଯିବ ।