ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଆବଦନକାରୀଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏ ସମୟ ମିଳିମିଶି ଆତଙ୍କବାଦୀ ବିରୋଧରେ ଲଢ଼ିବାର ସମୟ ବୋଲି କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ମାମଲାର ଶୁଣାଣି ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
ସୁପ୍ରିମକୋର୍ଟରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ମାମଲାର ଯାଞ୍ଚ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରିବାକୁ ଆବେଦନରେ ଗୁହାରୀ କରାଯାଇଛି । ଗୁରୁବାର ବିଚାପପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଏନ୍. କୋଟିଶ୍ୱର ସିଂହକୁ ନେଇ ଗଠିତ ଦୁଇ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଉପରେ ବର୍ଷିଛନ୍ତି । ଆବେଦନରେ କରାଯାଇଥିବା ଦାବିକୁ ଅଗ୍ରାହ୍ୟ କରିଛନ୍ତି । ଏହା ସହିତ ଖଣ୍ଡପୀଠ କହିଛନ୍ତି ଯେ ଏ ସମୟର ଆବେଦନ ଦାଖଲ କରିବାର ସମୟ ନୁହେଁ, ବରଂ ମିଳିମିଶି ଆତଙ୍କବାଦୀ ବିରୁଦ୍ଧରେ ଲଢ଼ିବାର ସମୟ । ଏହା ସହିତ ଖଣ୍ଡପୀଠ ସୁପ୍ରିମକୋର୍ଟ ଆଇନଜୀବୀଙ୍କୁ ଦାୟିତ୍ୱ ସମ୍ପନ୍ନ ହେବାକୁ ପରାମର୍ଶ ଦେଇଛନ୍ତି । "ଦାୟିତ୍ୱବାନ ହୁଅ। ଦେଶ ପ୍ରତି ଆପଣଙ୍କର କିଛି କର୍ତ୍ତବ୍ୟ ଅଛି। ଏହା କ'ଣ ଏପରି, ଦୟାକରି ଏହା କରନ୍ତୁ ନାହିଁ । ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ପ୍ରଶ୍ନ କରିଛନ୍ତି, ଆମେ ଏହି ମାମଲାରେ ବିଶେଷଜ୍ଞ କେବେଠାରୁ ହୋଇଗଲୁ ? ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ବିଚାରପତି କେମିତି ପ୍ରତିରକ୍ଷା ମାମଲାର ବିଶେଷଜ୍ଞ ହୋଇପାରିବେ ? ଏଭଳି ଆବେଦନ ପାଇଁ କଦାପି ଏହା ଉଚିତ ସମୟ ନୁହେଁ ବୋଲି ବିଚାର ପତି କହିଛନ୍ତି । ବିବାଦର ସମାଧାନ କରିବା କୋର୍ଟଙ୍କ କାମ ବୋଲି ଖଣ୍ଡପୀଠ କହିଛନ୍ତି ।
ଏହାର ଜବାବରେ ପ୍ରତିପକ୍ଷ କହିଥିଲେ ଯେ ପହଲଗାମ ଆକ୍ରମଣ ପରେ କାଶ୍ମୀର ଛାତ୍ରଙ୍କ ପାଇଁ କୋର୍ଟ ଆସିଥିଲେ । ଏହାର ଉତ୍ତର ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ କହିଛନ୍ତି ଆପଣ ଛାତ୍ରଙ୍କ ପାଇଁ ଗୋଟିଏ ବି ଗୁହାରି କରି ନାହାଁନ୍ତି । ଯାଚିକାକୁ ପ୍ରତ୍ୟାହାର କରିବାକୁ କୋର୍ଟ କଡ଼ା ଶବ୍ଦରେ କହିଥିଲେ । ଆବେଦନର ଶୁଣାଣିକୁ ଖଣ୍ଡପୀଠ ଖାରଜ କରିଛନ୍ତି । ଏଭଳି ଆବେଦନରୁ ବିରତ ରହିବାକୁ କଡ଼ା ଚେତାବନୀ ଦେଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା କଠିନ ସମୟ । ମାମଲାର ଗମ୍ଭୀରତା ଓ ସମୟର ମୂଲ୍ୟକୁ ବୁଝନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।
ସେହିପରି ଏହି ଯାଚିକାକର୍ତ୍ତାଙ୍କୁ ହାଇକୋର୍ଟ ଯିବାକୁ ମଧ୍ୟ ରୋକା ଯାଉ ବୋଲି ସଲିସିଟର୍ ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ନିବେଦନ କରିଛନ୍ତି ।
ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଆବେଦନରେ ଦାବି କରାଯାଇଥିଲା । ଏହା ବ୍ୟତୀତ, ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର, ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ, ସିଆରପିଏଫ, ଏନଆଇଏକୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦାବି କରାଯାଇଥିଲା ।