ନୂଆଦିଲ୍ଲୀ: ମିଳିତ ଜାତିସଂଘରର ମହାସଚିବ ଆଣ୍ଟୋନିଓ ଗୁଟେରସ ପହଲଗାମ ଆତଙ୍କୀ ହମଲାର ଦୃଢ ନିନ୍ଦା କରିଛନ୍ତି। ସୋମବାର ସେ ଏକ ସଂକ୍ଷିପ୍ତ ବୟାନ ଜାରି କରି ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବାକୁ ଆହ୍ଵାନ ଦେଇଛନ୍ତି। ଦୁଇ ପକ୍ଷଙ୍କୁ ଯଥା ସମ୍ଭବ ସଂଯମ ରହିବା ଓ ଯୁଦ୍ଧର ଦ୍ଵାର ଦେଶରୁ ପଛକୁ ହଟିବାକୁ ଆହ୍ଵାନ କରିଛନ୍ତି। ଦୁଇ ପକ୍ଷ କୌଣସି ଭୁଲ୍ ନ କରନ୍ତୁ। ସାମରିକ କାର୍ଯ୍ୟାନୁଷ୍ଠାନ କୌଣସି ସମାଧାନ ନୁହେଁ ବୋଲି ଗୁଟେରସ ନିଜ ବୟାନରେ କହିଛନ୍ତି।
ଗୁଟେରସ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଭୟାନକ ଆତଙ୍କୀ ହମଲା ପରେ ଉପୁଜିଥିବା କଠୋର ଭାବନାକୁ ଆମେ ବୁଝି ପାରୁଛୁ। ଆମେ ଏହି ଆକ୍ରମଣକୁ କଡ଼ା ନିନ୍ଦା କରୁଛୁ ଏବଂ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ନାଗରିକଙ୍କୁ ଟାର୍ଗେଟ୍ କରିବା କୌଣସି ବି ସ୍ଥିତିରେ ଗ୍ରହଣୀୟ ନୁହେଁ। ଦାୟୀ ଲୋକଙ୍କୁ ବିଶ୍ଵସନୀୟ ଓ ଆଇନଗତ ପ୍ରକ୍ରିୟାରେ ନ୍ୟାୟର କାଠଗଡ଼ାକୁ ଟାଣିବା ଉଚିତ୍।
ଗୁଟେରସ ଶାନ୍ତି ସ୍ଥାପନା ପ୍ରୟାସରେ ଦୁଇ ସରକାରଙ୍କୁ ନିଜ ଭଲ କାର୍ଯ୍ୟର ଉଦାହରଣ ଦେଇଛନ୍ତି। ମିଳିତ ଜାତିସଂଘ କୌଣସି ବି ପ୍ରସ୍ତାବକୁ ସମର୍ଥନ କରିବାକୁ ପ୍ରସ୍ତୁତ ଯାହା ଉତ୍ତେଜନା କମ କରିବ। କୂଟନୀତି ଓ ଶାନ୍ତି ପାଇଁ ନୂଆ ପ୍ରତିବଦ୍ଧତାକୁ ସାକାର କରି ପାରିବ।
ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମଏଚଏ ଜାରି କରିଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ରାଜ୍ୟଗୁଡ଼ିକ ମେ ୭ରେ ସୂଚାରୁ ଭାବେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ମକଡ୍ରିଲର ଆୟୋଜନ କରିବେ। କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ଏହି ଆଦେଶର ସମୟ ବେଶ ଗୁରୁତ୍ଵପୂର୍ଣ୍ଣ ରହିଛି। ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। କେଉଁ ସମୟରେ ଯୁଦ୍ଧ ଆରମ୍ଭ ବି ହୋଇପାରେ।
ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବଢିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ରାଜେଶ ପ୍ରଧାନମନ୍ତ୍ରୀଙ୍କୁ ସଶସ୍ତ୍ର ବଳର ତତ୍ପରତା ବିଷୟରେ ସୂଚନା ଦେଇଥିବା କୁହାଯାଉଛି।