ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାକୁ ବିଶ୍ୱର ଅନେକ ଦେଶ କଡା ନିନ୍ଦା କରିଛନ୍ତି । ଏହି କ୍ରମରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପହଲଗାମ ଆତଙ୍କୀ ହମଲାକୁ ନେଇ ବଡ ବୟାନ ଦେଇଛନ୍ତି । ଏପରିକି ସେ ପାକିସ୍ତାନର ତାତ୍ସଲ୍ୟ କରିଛନ୍ତି । ସେ କହିଛନ୍ତି, ଏମିତି ଲାଗୁଛି ଭାରତ ନିଜର ଶତ୍ରୁକୁ ସଜା ଦେବା ପାଇଁ ଇଲେକ୍ଟ୍ରିକ ଚେୟାରର ବ୍ୟବହାର କରିବା ପରିବର୍ତ୍ତେ ତା ବେକରେ ଲମ୍ବା ରଶି ଲଗାଇ ଦେଇଛି । ତାଙ୍କ ବୟାନର ଅର୍ଥ ଭାରତ ନିଜ ଶତ୍ରୁକୁ ଗୋଟିଏ ଝଟକାରେ ନୁହେଁ ବରଂ ପୂରା ଜାଲ ପକାଇ ଧିରେ ଧିରେ ସଜା ଦେଉଛି ।
ଅମରୁଲ୍ଲା ସାଲେହ ଏକ୍ସରେ ଲେଖିଛନ୍ତି, ଭାରତ ନିଜର ଶତ୍ରୁକୁ ସଜା ଦେବା ପାଇଁ ଇଲେକ୍ଟ୍ରିକ ଚୌକିର ବ୍ୟବହାର କରିବା ପରିବର୍ତ୍ତେ ବେକରେ ବହୁତ ଲମ୍ବା ରଶି ଲଗାଇ ଦେଇଛି । ପହଲଗାମ ଆତଙ୍କୀ ହମଲା ପରେ ଅମରୁଲ୍ଲାଙ୍କ ଏହି ବୟାନ ସାମ୍ନାକୁ ଆସିଛି । ଏହି ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ହତ୍ୟା କରାଯାଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ଏହା ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର କହିଛନ୍ତି, ସଶସ୍ତ୍ର ବଳ ଭାରତ ଉପରେ ଖରାପ ନଜର ପକାଉଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ । ମୁଁ ଆପଣଙ୍କୁ ଆଶ୍ୱସ୍ତ ଦେବାକୁ ଚାହୁଁଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆପଣ ଯାହା ଚାହିଁବେ ତାହା ନିଶ୍ଚିତ ଭାବେ ହେବ ।
ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୋର ଦାୟିତ୍ୱ ମୁଁ ନିଜ ସୈନିକ ସହ ମିଶି ଦେଶର ସୁରକ୍ଷା କରିବା ଓ ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା । ମୋର ଦାୟିତ୍ୱ ମୁଁ ସଶସ୍ତ୍ର ବଳ ସହିତ ମିଶି ସେହି ଲୋକଙ୍କୁ ମୁହଁତୋଡ ଜବାବ ଦେବୁ, ଯିଏ ଆମ ଦେଶ ଉପରେ ଖରାପ ନଜର ପକାଇଥାଏ ।