ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଛି। ମ୍ୟାଚ୍ ବାତିଲ ହେବା କାରଣରୁ ପ୍ୟାଟ୍ କମିନ୍ସଙ୍କ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଦଳ ଏବେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡିଛି । ମ୍ୟାଚ୍ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୩୩ ରନ୍ କରିଥିଲା । କିନ୍ତୁ ଦ୍ୱିତୀୟ ଇନିଂସ ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇଗଲା। ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷା ଲାଗି ରହିବାରୁ ଖେଳ ପାଇଁ ପରିସ୍ଥିତି ଅନୁକୂଳ ହୋଇନ ଥିଲା । ଶେଷରେ ବାଧ୍ୟ ହୋଇ ଅମ୍ପାୟାର ମ୍ୟାଚ୍ ବାତିଲ ଘୋଷଣା କରିଛନ୍ତି।
ନିୟମ ଅନୁଯାୟୀ, ମ୍ୟାଚ୍ ବାତିଲ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ହାଇଦ୍ରାବାଦ ପ୍ଲେ ଅଫ ଦୌଡରୁ ବାଦ ପଡିଥିବା ବେଳେ ଅନ୍ୟପଟେ ଦିଲ୍ଲୀର ଆଶା ଏବେ ବି ଉଜ୍ଜୀବିତ ରହିଛି । ହାଇଦ୍ରାବାଦରେ ରାତି ପ୍ରାୟ ୯.୩୦ ରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଯୋଗୁଁ ସନରାଇଜର୍ସର ଇନିଂସ ଆରମ୍ଭ ହୋଇପାରିଲା ନାହିଁ। ପ୍ଲେଅଫ୍ ଆଶାକୁ ଉଜ୍ଜୀବିତ ରଖିବା ପାଇଁ ହାଇଦ୍ରାବାଦକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବା ଜରୁରୀ ଥୀଲା। କିନ୍ତୁ ଏବେ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଛି।
ଏପର୍ୟ୍ୟନ୍ତ ତିନୋଟି ଦଳ ଆଇପିଏଲ ୨୦୨୫ ରୁ ବାଦ ପଡ଼ିଛନ୍ତି। ହାଇଦ୍ରାବାଦ ତୃତୀୟ ଦଳ ଭାବେ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଏହା ପୂର୍ବରୁ ଏମଏସ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରିୟାନ ପରାଗଙ୍କ ରାଜସ୍ଥାନ ରୟାଲ୍ସ ମଧ୍ୟ ପ୍ଲେଅଫରୁ ବାଦ ପଡ଼ିଛି । ଦିଲ୍ଲୀ କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ ଖେଳି ୧୩ ପଏଣ୍ଟ ପାଇଛି। ଦଳର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ ଅଛି। ପଏଣ୍ଟ ଟେବୁଲରେ ଦିଲ୍ଲୀ ପଞ୍ଚମ ସ୍ଥାନରେ ଅଛି। ଦିଲ୍ଲୀ ଯଦି ନିଜର ଶେଷ ୩ଟି ମ୍ୟାଚରୁ ଦୁଇଟି ଜିତେ ତେବେ ଦଳ ୧୭ ପଏଣ୍ଟ ସହ ପ୍ଲେ ଅଫରେ ପ୍ରବେଶ କରିପାରେ ।
ସୂଚନାଯୋଗ୍ୟ, ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବାଦ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ୨୯ ରନରେ ୫ ବ୍ୟାଟରଙ୍କୁ ହରାଇଥିଲା । ତେବେ ମଧ୍ୟକ୍ରମରେ ଟ୍ରିଷ୍ଟନ ଷ୍ଟବ୍ସ ଓ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିବା ଆଶୁତୋଷ ଶର୍ମା ଦମଦାର ବ୍ୟାଟିଂ କରିବାରୁ ଦିଲ୍ଲୀ ୧୩୩ ରନ କରି ପାରିଥିଲା । ଟ୍ରିଷ୍ଟନ ୪୧ ରନ କରି ଅପରାଜିତ ଥିବା ବେଳେ ଆଶୁତୋଷ ମଧ୍ୟ ୪୧ ରନ କରିଥିଲେ ।