ନୂଆଦିଲ୍ଲୀ: କାନାଡାର ଟୋରଣ୍ଟୋ ସହରରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ହିନ୍ଦୁ ବିରୋଧୀ ଶୋଭାଯାତ୍ରା ବାହାର କରାଯାଇଛି । ଏହି ଶୋଭାଯାତ୍ରା ଏମିତି ସମୟରେ କରାଯାଇଛି, ଯେଉଁଠି ନିକଟରେ ଆୟୋଜିତ ନିର୍ବାଚନରେ ମାର୍କ କାର୍ଣ୍ଣିଂ ନିର୍ବାଚନ ଜିତି ପୁନର୍ବାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଏହା ପୂର୍ବରୁ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟକାଳରେ ଭାରତ ସହ କାନାଡାର ସଂପର୍କ ଲଗାତାର ଉତ୍ତେଜନାପୂର୍ଣ୍ଣ ରହିଥିଲା ।
ଏବେ ଏହି ଶୋଭାଯାତ୍ରା ନୂଆ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଲିସ୍ତାନୀ ସମର୍ଥକ ଶୋଭାଯାତ୍ରା ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ କୁଶ ପୁତ୍ତଳିକାକୁ ପିଞ୍ଜରାରେ ବନ୍ଦ କରି ପ୍ରଦର୍ଶନ କରାଯାଇଛି । ଏଥିରେ କାନାଡାରୁ ହିନ୍ଦୁଙ୍କୁ ବହିଷ୍କାର କରିବାକୁ ଦାବି କରାଯାଇଛି.
କାନାଡାର ସାମ୍ବାଦିକ ଡାନିଏଲ ବୋର୍ଡମ୍ୟାନ ରବିବାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଟୋରଣ୍ଟୋର ମଲଟନ ଗୁରୁଦ୍ୱାରରେ ହିନ୍ଦୁ ବିରୋଧୀ ଶୋଭାଯାତ୍ରା ବାହାର କରାଯାଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଜରିଅ।।ରେ ବୋର୍ଡମ୍ୟାନ କାନାଡାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଂଙ୍କ ସରକାର ଉପରେ ପ୍ରଶ୍ନ କରିଛନ୍ତି । କଣ ମାର୍କ କାର୍ଣ୍ଣିଂ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କଠୁ କିଛି ଭିନ୍ନ କି ? ଟ୍ରୁଡୋଙ୍କ ଅମଳରେ ଯାହା ଦେଖିବାକୁ ମିଳିଥିଲା କାର୍ଣ୍ଣିଂଙ୍କ ଅମଳରେ ବି ତାହା ଦେଖିବାକୁ ମିଳିଛି ।
ଏହି ଖାଲିସ୍ତାନୀ ଶୋଭାଯାତ୍ରାରେ କାନାଡାରେ ବସବାସ କରୁଥିବା ୮ ଲକ୍ଷ ହିନ୍ଦୁଙ୍କୁ ଭାରତ ପଠାଇ ଦେବାକୁ ଦାବି କରାଯାଇଛି । ସାମ୍ବାଦିକ ଡାନିଏଲ ବୋର୍ଡମ୍ୟାନ ଏହାକୁ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଆଣ୍ଟି ହିନ୍ଦୁ ଘୃଣା ବୋଲି କହିଛନ୍ତି । ଏହା ଭାରତ ସରକାରଙ୍କ ବିରୋଧରେ ନୁହେଁ ଏହା ଖୋଲାଖୋଲି ହିନ୍ଦୁଙ୍କ ବିରୋଧରେ ଘୃଣା ।
ଏହି ବିବାଦୀୟ ଶୋଭାଯାତ୍ରା କାନାଡାରେ ନିର୍ବାଚନ ସରିବା ପରେ ଆୟୋଜିତ ହୋଇଛି । ସାଧାରଣ ନିର୍ବାଚନରେ ମାର୍କ କାର୍ଣ୍ଣିଂ ଓ ତାଙ୍କର ଲିବେରାଲ ପାର୍ଟି ବିଜୟ ହାସଲ କରିଛି । ଜଷ୍ଟିନ ଟ୍ରୁଡୋଙ୍କ ଇସ୍ତଫା ପରେ କାର୍ଣ୍ଣିଂଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । କୁହାଯାଉଛି ପାର୍ଟି ଭିତରେ ବିଶ୍ୱାସର ଅଭାବ କାରଣରୁ ଟ୍ରୁଡୋଙ୍କୁ ପଦ ହରାଇବାକୁ ପଡିଥିଲା ।