ପୁରୀ: ପୁରୀ ବ୍ୟତୀତ ଆଉ କେଉଁଠି ଜଗନ୍ନାଥ ଧାମ ଲେଖାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସ୍ପଷ୍ଟ ଏହା କରିଛନ୍ତି । କେବଳ ଜଗନ୍ନାଥ ମନ୍ଦିର ନାମରେ ଜଣାଯିବ । ଏ ନେଇ ପ୍ରେସ୍ ବିବୃତ୍ତି ଜରିଆରେ କହିଛନ୍ତି ପୁରୀ ଗଜପତି ମହାରାଜ ।
ଗଜପତି କହିଛନ୍ତି, ପଶ୍ଚିମବଙ୍ଗ ଦୀଘାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବରେ ନାମିତ କରାଯିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ । ଏ ନେଇ ମୁକ୍ତି ମଣ୍ଡପ ସହିତ ବିଚାରବିମର୍ଶ କରାଯାଇଛି । ମୁକ୍ତି ମଣ୍ଡପ ସଭା ଉଲ୍ଲେଖ କରିଛନ୍ତି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତୀ ବିଗ୍ରହଙ୍କର ଶାସ୍ତ୍ରୀୟ ଅନୁସାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ‘ଜଗନ୍ନାଥ ଧାମ’, ‘ଶ୍ରୀପୁରୁଷୋତ୍ତମ କ୍ଷେତ୍ର’, ‘ଶ୍ରୀକ୍ଷେତ୍ର’ କିମ୍ବା ‘ନୀଳାଚଳ ଧାମ’ ଭାବରେ ନାମିତ କରାଯାଇପାରିବ ନାହିଁ ।
‘ସ୍କନ୍ଧ ପୁରାଣ’ର ‘ବୈଷ୍ଣବ ଖଣ୍ଡ’ରେ ରହିଛି ଜଗନ୍ନାଥ ଧାମର ବାଖ୍ୟା
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ପ୍ରାମାଣିକ ଏବଂ ବ୍ୟାପକଭାବେ ‘ସ୍କନ୍ଧ ପୁରାଣ’ର ‘ବୈଷ୍ଣବ ଖଣ୍ଡ’ରେ ବର୍ଣ୍ଣିତ ଅଛି । ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ନୁହେଁ, କେବଳ ପୁରୀ ହିଁ କାହିଁକି ଜଗନ୍ନାଥ ଧାମ ତାହା ସରଳ ପଠନ ଦ୍ୱାରା ସ୍ପଷ୍ଟ ହୋଇପାରିବ । ଭଗବାନଙ୍କ ବ୍ରହ୍ମାଙ୍କ ଜୀବନକାଳରେ ପ୍ରଥମ ପରାର୍ଦ୍ଧ (50 ବର୍ଷ) ସମୟରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ନୀଳମାଧବ ରୂପରେ ଥିଲେ । ଏହା ପରେ ଭଗବାନ ବ୍ରହ୍ମାଙ୍କର 51 ତମ ବର୍ଷରେ (ଯୁଗ) ମହାପ୍ରଭୁ ଚତୁର୍ଦ୍ଧା ଦାରୁ ବିଗ୍ରହ ଭାବେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀରେ ଆର୍ବିଭାବ ହୋଇ ପୂଜା ପାଉଛନ୍ତି । ମହାପ୍ରଭୁ ଏହି ଦାରୁବ୍ରହ୍ମ ରୂପରେ ଭଗବାନ ବ୍ରହ୍ମାଙ୍କ ଜୀବନକାଳରେ ଏହି 50 ବର୍ଷରେ ଶ୍ରୀପୁରୁଷୋତ୍ତମ ଅଧିଷ୍ଠିତ ହୋଇ ରହିବେ ।
କେବଳ ସ୍କନ୍ଧ ପୁରାଣ ନୁହେଁ, ବ୍ରହ୍ମ ପୁରାଣ, ନୀଳାଦ୍ରୀ ମହୋଦୟ ଏବଂ ଅନ୍ୟାନ୍ୟ ପବିତ୍ର ଓ ପ୍ରାଚୀନ ଶାସ୍ତ୍ରରେ ଏହା ସ୍ପଷ୍ଟଭାବରେ ଲେଖା ଅଛି । ସେହିପରି ପଦ୍ମପୁରାଣ ଅନୁଯାୟୀ କେବଳ ଭଗବାନଙ୍କ ପବିତ୍ର ନିତ୍ୟ ନିଳୟକୁ ହିଁ ଧାମ କୁହାଯାଇପାରିବ, ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ଧାମ ଭାବେ ଗ୍ରହଣୀୟ ନୁହେଁ ।
ମୁକ୍ତିମଣ୍ଡପ ପଣ୍ଡିତ ସଭା ଆହୁରି ସ୍ପଷ୍ଟ କରିଛନ୍ତି ଯେ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶାଳୀରେ ନିର୍ମାଣ କରି ପୂଜା କରିବା ଉଚିତ୍ ନୁହେଁ । ସେହିପରି ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀବିଗ୍ରହମାନଙ୍କୁ ସମର୍ପଣ କରାଯାଇଥିବା ନୈବେଦ୍ୟକୁ ଶ୍ରୀମହାପ୍ରସାଦ କୁହାଯିବ ଶାସ୍ତ୍ର ସମ୍ମତ ନୁହେଁ ।
ଯଦି ଏହାକୁ ଅବମାନନା କରାଯାଏ ତେବେ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେବ ବୋଲି ଗଜପତି କହିଛନ୍ତି ।