ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଏକ ବହୁଚର୍ଚ୍ଚିତ ଡକାୟତି ମାମଲାରେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ନିର୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାରେ ଥିବା ଦୁଇ ପୋଲିସ ଅଧିକାରୀଙ୍କ ସହିତ ମୋଟ ଛଅ ଜଣ ମଧ୍ୟ ନିର୍ଦୋଷରେ ଖଲାସ ହୋଇଛନ୍ତି। ଫୁଲବାଣୀ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି ।
୨୦୨୧ ମସିହା ଫେବୃୟାରୀ ୯ ତାରିଖରେ ଦେବେନ୍ଦ୍ର ଏବଂ ତାଙ୍କ ଅନ୍ୟ କିଛି ସହଯୋଗୀ ଅନ୍ୟ ଜିଲ୍ଲାରୁ ଆସିଥିବା ୩ ଜଣଙ୍କୁ ଫୁଲବାଣୀର ଫୁଟବଲ୍ କ୍ଲବକୁ ଅପହରଣ କରି ନେଇ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଡକାୟତି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲାରେ ସାକ୍ଷ୍ୟ ବିଚାର ପରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି । ଏହି ମାମଲା ସେତେବେଳେ ବହୁ ଚର୍ଚ୍ଚାର ବିଷୟ ହୋଇଥିଲା। ଅଭିଯୋଗକାରୀ ଢେଙ୍କାନାଳର କାମାକ୍ଷା ବେହେରା ଏହି ମାମଲା ରୁଜୁ କରିଥିଲେ ଏବଂ ପୂର୍ବତନ ବିଧାୟକଙ୍କ ସମେତ ଅନ୍ୟ ଜଣଙ୍କୁ ସେତେବେଳେ ପୋଲିସ ଗିରଫ କରିଥିଲା ।
ରାଜନୈତିକ ଆକ୍ରୋଶ ରଖି କିଛି ଖଳ ପ୍ରକୃତି ଲୋକେ ଫସେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ସତ୍ୟ ଓ ଧର୍ମର ଜୟ ହୋଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ସେ ବିଜୁ ଜନତା ଦଳ ଉପରେ ଦୋଷ ଲଦିଛନ୍ତି । ରାଜନୀତିରୁ ବିଦା କରିବାକୁ ବିଜେଡ଼ି ଏପରି ମାମଲା କରିଥିଲା ବୋଲି କହିଛନ୍ତି ଦେବେନ୍ଦ୍ରଙ୍କ ଓକିଲ ଅଜିତ ପଟ୍ଟନାୟକ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୦୯ ଫେବୃଆରୀ ୨୦୨୧, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କାଙ୍କିଲି ଗ୍ରାମର କାମାକ୍ଷା ବେହେରା ତାଙ୍କର କିଛି ସାଙ୍ଗଙ୍କ ସହିତ ମିଶି ଗୋଚ୍ଛାପଡା ଥାନା ଅନ୍ତର୍ଗତ କାଶିନିପଦର ଗ୍ରାମରେ ରହୁଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯାଉଥିଲେ । ସେମାନେ ଠିକ ଭାବେ ରାସ୍ତା ଜାଣି ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ କଟ୍ରିଙ୍ଗିଆ-ଉର୍ମାଗଡ ରାସ୍ତରେ ଦେବେନ୍ଦ୍ର ଓ ତାଙ୍କର କିଛି ସାଥୀ ନିଜକୁ ପୋଲିସ ବୋଲି ପରିଚୟ ଦେଇ କାମାକ୍ଷା ଓ ତାଙ୍କ ସାଥୀମାନଙ୍କୁ ଅଟକାଇ ସେମାନେ କିଏ ବୋଲି ପଚାରିଥିଲେ । କାମାକ୍ଷା ସମସ୍ତଙ୍କ ପରିଚୟ ଦେବା ସତ୍ୱେ ସେମାନେ ଛାଡି ନ ଥିଲେ ଓ ଆମ ସାଙ୍ଗରେ ଥାନାକୁ ଚାଲ ବୋଲି କହିଥିବା ସହିତ ତାଙ୍କ ଠାରୁ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। । ପରେ ସେମାନେ ସମସ୍ତଙ୍କୁ ଫୁଲବାଣୀ ଆଣି କୋର୍ଟ ଛକ ନିକଟସ୍ଥ ଏକ ଫୁଟବଲ କ୍ଲବ ନିକଟରେ ଜବରଦସ୍ତ ବନ୍ଦ କରି ରଖିବା ସହ ମାରପିଟ କରିଥିଲେ ବୋଲି କାମାକ୍ଷା ଅଭିଯୋଗ କରିଥିଲେ ।
ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ଦେବେନ୍ଦ୍ର କହଁରଙ୍କୁ ଟିକେଟ୍ ଦେଇନଥିଲା । ଏହା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ ।