କଟକ: ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହା ପରେ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଭାରତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହାରି ଭିତରେ କଟକ ରେଳ ଷ୍ଟେସନରେ ଆର.ପି.ଏଫ ପୋଲିସ ପକ୍ଷରୁ ରେଗୁଲାର ଚେକପ ଭଳି ମକଡ୍ରିଲ କରାଯାଇଥିଲା । ଯାହା ଦ୍ଵାରା ଷ୍ଟେସନରେ ଥିବା ସମସ୍ତ ଯାତ୍ରୀଙ୍କୁ ସନ୍ଦିଗ୍ଧ ଲୋକଙ୍କ ଠାରୁ କିଛି ନ ନେବା, କେହି ବ୍ୟକ୍ତି କିଛି ଖାଇବାକୁ ଦେଲେ ନ ଖାଇବା , ଏହା ସହ ଯଦି କୌଣସି ସ୍ଥାନରେ କିଛି ବ୍ୟାଗ କିମ୍ବା କିଛି ଇଲକ୍ଟ୍ରୋନିକ ବସ୍ତୁ ରହିଥାଏ ତାକୁ ନ ଛୁଇଁବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଥିଲା । ଯାତ୍ରୀମାନଙ୍କ ବ୍ୟାଗକୁ ତନତନ କରି ଯାଞ୍ଚ କରାଯାଇଥିଲା। ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସଚେତନ କରିବା ଓ ଅପରାଧୀ ମାନଙ୍କ ମନରେ ଅପରାଧ ନ କରିବା ପାଇଁ ଭୟ ସୃଷ୍ଟି କରାଇବା ବୋଲି ରେଳ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି।