ଭୁବନେଶ୍ୱର: ୨୭ ଏପ୍ରିଲ୍ ୨୦୨୫ରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍ଏସ୍ସି) ଦ୍ୱାରା ଅନୁଷ୍ଠିତ ବିଭିନ୍ନ ମିଳିତ ନିଯୁକ୍ତି ପଦପଦବୀ ପାଇଁ ହୋଇଥିବା ଶାରୀରିକ ଦକ୍ଷତା ଓ ଶାରୀରିକ ମାପ ପରୀକ୍ଷା ୨୦୨୪ କୁ ରଦ୍ଦ କରାଯାଇଛି । ତେବେ ଏହାର କାରଣ ପ୍ରଶ୍ନ ପତ୍ରରେ ଥିବା ଅନିୟମିତତା ବୋଲି ସ୍ପଷ୍ଟ କରାଯାଇଛି ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜୁଲାଇ ୬ରେ ଏହି ପରୀକ୍ଷା ପୁନଃ ଅନୁଷ୍ଠିତ ହେବ ।
ଏନେଇ କମିଶନ ବହୁ ସଂଖ୍ୟକ ପ୍ରାର୍ଥୀଙ୍କ ଠାରୁ ମତାମତ ଓ ପରାମର୍ଶ ଗ୍ରହଣ କରିଛି । ଏକ ବିଜ୍ଞପ୍ତି ମାଧ୍ୟମରେ ଓଏସ୍ଏସ୍ସି ବିଭିନ୍ନ ପଦପଦବୀ ନିମନ୍ତେ ହେବାକୁ ନିଯୁକ୍ତି ପରୀକ୍ଷା ଓ ଏଥି ସମ୍ପର୍କିତ ପଦକ୍ଷେପ ପାଇଁ ବହୁ ପରୀକ୍ଷାର୍ଥୀଙ୍କ ଠାରୁ ବିଭିନ୍ନ ପରାମର୍ଶ ଗ୍ରହଣ କରି ଏହା ଉପରେ ବିଚାର କରୁଥିବା ପ୍ରକାଶ କରିଛି ।
କମିସନ ୨୭ ଏପ୍ରିଲରେ ହୋଇଥିବା ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ଜୁଲାଇ ୬ ତାରିଖରେ ଏନେଇ ନୂତନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ଏହି ତ୍ରୁଟି ପାଇଁ କମିଶନ ପରୀକ୍ଷାର୍ଥୀ ମାନଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ଆଗାମୀ ପରୀକ୍ଷା ପାଇଁ ଶୁଭକାମନା ଜଣାଇଛନ୍ତି ।