ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ନାମରେ ନାମିତ କରିବାକୁ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହାକୁ ପ୍ରତ୍ୟାହାର କରିବାକୁ ଏବେ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ସଂକ୍ରାନ୍ତୀୟ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି, ପୁରୀ ଜଗନ୍ନାଥ ଧାମ ଦେଶର ଚାରି ଧାମ ମଧ୍ୟରୁ ଗୋଟିଏ । ଏହା କେବଳ ଓଡ଼ିଶା ଲୋକଙ୍କ ପାଇଁ ନୁହେଁ ବରଂ ଭାରତ ଓ ସାରା ବିଶ୍ୱର ଶ୍ରଦ୍ଧାଳୁ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟ ଦ୍ୱାରା ବାନ୍ଧି ରଖିଛି । ପୁରୀର ଏହା ଧାର୍ମିକ ପରିଚୟ ଅଟେ । ତେଣୁ ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମରେ ନାମିତ କରିବା ଦ୍ୱାରା ଏହା ଆମର ଭାବାବେଗକୁ ଆଘାତ ଦେଉଛି । ପୁରୀର ଐତିହାସିକ ପରିଚୟକୁ ମଳିନ କରିବା ସହିତ ଏହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ।
ତେଣୁ ସରକାରୀ ସ୍ତର କିମ୍ବା କୌଣସି ପ୍ରଚାର ପ୍ରସାରରେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ଭାବରେ ବ୍ୟବହାର ନ କରିବାକୁ ପଶ୍ଚିମବଙ୍ଗ ସରକାରକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।