ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଶର ତିନୋଟି ନୂଆ ଅପରାଧିକ ଆଇନ୍ର ଫଳପ୍ରଦ କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ବିଶେଷ କରି ପୁଲିସ, ଜେଲ୍, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏହାଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ, ସରଳ ହେବା ସହିତ ତ୍ୱରିତ ବେଗରେ କାର୍ଯ୍ୟକାରୀ କରାଯାଇ ପାରିବ। ଏଥିପାଇଁ ଜେଲ୍, ହସ୍ପିଟାଲ, ଫରେନସିକ୍ ଲ୍ୟାବ, କୋର୍ଟ ଇତ୍ୟାଦିକୁ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଡିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସାକ୍ଷୀ ମାନେ ଏହାଦ୍ୱାରା ଯେଉଁ ସ୍ଥାନରେ ଥିବେ, ସେହି ସ୍ଥାନରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ।
ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଯେତେଦୂର ସମ୍ଭବ ଇଲେକ୍ଟ୍ରୋନିକ୍ ମୋଡ୍ରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଫରେନ୍ସିକ୍ ବ୍ୟବସ୍ଥାର ଉନ୍ନତି ପାଇଁ ଅତ୍ୟାଧୁନିକ ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବଶୀଘ୍ର ୩୨ଟି ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରାଯିବ। ଭିଡ ହିଂସା, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସଂଗଠିତ ଅପରାଧ କ୍ଷେତ୍ରରେ ଏସ୍ପିଙ୍କ ତଳ ର୍ୟାାଙ୍କର କୌଣସି ଅଧିକାରୀ ତଦାରଖ ନକରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆ ଆଇନ୍ର ଫଳପ୍ରଦ କାର୍ଯ୍ୟକାରୀତା ପାଇଁ ପୋଲିସ, ଜେଲ୍, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା।
ବୈଠକର ସୂଚନା ଅନୁଯାୟୀ ନୂଆ ଅପରାଧିକ ଆଇନ ସଂପର୍କରେ ୯୮ ପ୍ରତିଶତରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦକ୍ଷ ତଦନ୍ତ ପ୍ରକ୍ରିୟା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି । ଫରେନ୍ସିକ ଲ୍ୟାବ ଗୁଡିକର ଉନ୍ନତିକରଣ କରାଯାଉଛି ଏବଂ ଫରେନ୍ସିକ ଓ ସାଇବର ଫରେନ୍ସିକ ବିଶେଷଜ୍ଞ ମାନଙ୍କ ପାଇଁ ୨୪୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି।
ସେହିପରି ଜେଲ୍ ବିଭାଗର ଶତ ପ୍ରତିଶତ କର୍ମଚାରୀ ମାନଙ୍କୁ ମଧ୍ୟ ନୂଆ ଆଇନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଜେଲ୍ରେ ଭିଡିଓ କନ୍ଫରେନ୍ସିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ପ୍ରୋସିକ୍ୟୁସନ କ୍ୟାଡରେ ମଧ୍ୟ ୨୬୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ସହିତ BNSS ଆଇନ ଅନୁଯାୟୀ ଓଡିଶା ପ୍ରୋସିକ୍ୟୁସନ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି।
ତେବେ ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।