ପୁରୀ: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ବିବାଦରେ ଛନ୍ଦି ହୋଇଥିବା ବରିଷ୍ଠ ଦଇତାପତି ତଥା ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୁଦ୍ଧରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ନିଲମ୍ବନ କରିଛି। ରାମକୃଷ୍ଣ ଦାସମହାପାତ୍ର ପୁରୀରୁ ବଳକା ଦାରୁ ନେଇ ଦିଘାରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମା ପ୍ରତିଷ୍ଠା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାମକୃଷ୍ଣଙ୍କୁ ଏହି ବିବାଦ ସମ୍ପର୍କରେ ଜବାବ ଦେବା ପାଇଁ ଦୁଇଥର ନୋଟିସ ଜାରି କରାଯାଇଥିଲା। ପ୍ରଥମେ ୭ ଦିନ ଏବଂ ପରେ ୨ ଦିନର ସମୟ ଦିଆଯାଇଥିଲା। ତେବେ, ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ୩୦ ଦିନ ପାଇଁ ନିଲମ୍ବନ କରାଯାଇଛି। ଶ୍ରୀମନ୍ଦିର ମର୍ଯ୍ୟାଦା କ୍ଷୂଣ୍ଣ କରିଥିବା ଅଭିଯୋଗରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବିତ କରିଛନ୍ତି । ସେ ୩୦ ଦିନ ଯାଏ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ କିମ୍ବା କୌଣସି ସେବାରେ ନିୟୋଜିତ ହେବେ ନାହିଁ ।