ନୂଆଦିଲ୍ଲୀ : ପବିତ୍ର ବୁଦ୍ଧପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସୋସିଆଲ ମିଡ଼ିଆ ଏକ୍ସରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ''ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ, ମୁଁ ସମସ୍ତ ଦେଶବାସୀ ଏବଂ ବିଶ୍ୱବ୍ୟାପୀ ଭଗବାନ ବୁଦ୍ଧଙ୍କ ଅନୁଗାମୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। କରୁଣାର ପ୍ରତୀକ ମହାତ୍ମା ବୁଦ୍ଧଙ୍କ ଅହିଂସା, ପ୍ରେମ ଏବଂ କରୁଣାର ଅମର ବାର୍ତ୍ତା ହେଉଛି ସମଗ୍ର ମାନବଜାତିର କଲ୍ୟାଣ ପାଇଁ ମୌଳିକ ମନ୍ତ୍ର । ତାଙ୍କର ଆଦର୍ଶ ସମାନତା, ସଦୟତା ଏବଂ ନ୍ୟାୟ ଭଳି ଅନନ୍ତ ମୂଲ୍ୟବୋଧ ପ୍ରତି ଆମର ବିଶ୍ୱାସକୁ ଦୃଢ଼ କରେ। ତାଙ୍କର ଶିକ୍ଷା ଆମ ସମସ୍ତଙ୍କୁ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଜୀବନଯାପନ କରିବାକୁ ପ୍ରେରଣା ଦିଏ। ଆସନ୍ତୁ ଆମେ ସମସ୍ତେ ମହାତ୍ମା ବୁଦ୍ଧଙ୍କ ଶିକ୍ଷାକୁ ଗ୍ରହଣ କରିବା ଏବଂ ଆମ ଜୀବନରେ ନୀତିକୁ ଅନୁସରଣ କରି ଏକ ଶାନ୍ତିପୂର୍ଣ୍ଣ, ସମନ୍ୱିତ ଏବଂ ବିକଶିତ ଭାରତ ଗଠନରେ ଯୋଗଦାନ ଦେବା ବୋଲି ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ସମସ୍ତ ଦେଶବାସୀଙ୍କୁ ବୁଦ୍ଧ ପୂର୍ଣ୍ଣିମାର ଅନେକ ଅନେକ ଶୁଭକାମନା। ସତ୍ୟ, ସମାନତା ଏବଂ ସମନ୍ୱୟର ନୀତି ଉପରେ ଆଧାରିତ ଭଗବାନ ବୁଦ୍ଧଙ୍କ ବାର୍ତ୍ତା ମାନବତାର ମାର୍ଗଦର୍ଶକ ହୋଇଆସିଛି। ତ୍ୟାଗ ଏବଂ ତପସ୍ୟା ପ୍ରତି ଉତ୍ସର୍ଗୀକୃତ ତାଙ୍କର ଜୀବନ ସର୍ବଦା ବିଶ୍ୱ ସମ୍ପ୍ରଦାୟକୁ କରୁଣା ଏବଂ ଶାନ୍ତି ଆଡ଼କୁ ପ୍ରେରଣା ଦେବ।
ସେହିପରି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ସହ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦେଉ ବୋଲି ମୁଖମନ୍ତ୍ରୀ କହିଛନ୍ତି ।