ଆଜି ହେଉଛି ଅନ୍ତର୍ଜାତୀୟ ସେବିକା । ସମାଜରେ ସେବିକାମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ ୧୨ତାରିଖରେ ଅନ୍ତର୍ଜାତୀୟ ସେବିକା ଦିବସ ବିଶ୍ୱସ୍ତରରେ ପାଳନ କରାଯାଉଛି। ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍ଙ୍କ ଜନ୍ମଦିନରେ ଏହି ଦିବସ ପାଳିତ ହୁଏ। ୧୮୨୦, ମେ ୧୨ରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଜନ୍ମ ଗ୍ରହଣ କରିଥିଲେ। ଇଟାଲୀର ଟସ୍କାନି ବାସିନ୍ଦା ଫ୍ଲୋରେନ୍ସ କ୍ରିମିଆ ଯୁଦ୍ଧବେଳେ ମହିଳାମାନଙ୍କୁ ତାଲିମ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାମ କରିଥିଲେ। ସେ ଜଣେ ସାମାଜିକ ସଂସ୍କାରକ ଓ ପ୍ରଶିକ୍ଷକ ଥିଲେ। ନର୍ସିଂ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ଅବସରରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ।
ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି-”ସେବିକାମାନେ ଆମର ଭବିଷ୍ୟତ ଅଟନ୍ତି ଏବଂ ସେମାନଙ୍କ ପାଇଁ ଯତ୍ନବାନ୍ ହେବା ଦ୍ୱାରା ଅର୍ଥନୀତି ଦୃଢ଼ ହୋଇଥାଏ।“ ଅର୍ଥାତ୍ ଆମ୍ଭେମାନେ ନର୍ସମାନଙ୍କର ସୁସ୍ଥତା ଓ ନିରାମୟ ତଥା ନିରାପତ୍ତା ପାଇଁ ଚିନ୍ତା କରିବା ଦରକାର। ଅନ୍ତର୍ଜାତୀୟ ସେବିକା ସଂଘ (ଇଣ୍ଟରନ୍ୟାଶନାଲ କାଉନ୍ସିଲ ଫର୍ ନର୍ସେସ୍) ବା ଆଇସିଏନ୍ ୧୯୬୫ରୁ ଏହି ଦିବସକୁ ପାଳନ କରିଆସୁଅଛି। ୧୯୫୩ରେ ସ୍ବାସ୍ଥ୍ୟ କର୍ମକର୍ତ୍ତା ଡରୋଥି ସୁଦରଲାଣ୍ଡ ତତ୍କାଳୀନ ୟୁଏସ୍ ରାଷ୍ଟ୍ରପତି ଆଇଜେନ୍ହୋମରଙ୍କୁ ‘ସେବକା ଦିବସ’ ପାଳନ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହା ଅନୁମୋଦନ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ଗ୍ରହଣ କରି ସମଗ୍ର ବିଶ୍ୱରେ ନର୍ସମାନଙ୍କୁ ଗୁରୁତ୍ୱ ଦେଇଥିଲା। ଅନ୍ତର୍ଜାତୀୟ ସେବିକା ପରିଷଦର ଅଧ୍ୟକ୍ଷା ଡା. ପାମେଲା ସିପ୍ରିଆନୋ କହନ୍ତି, ” ଆମ୍ଭେମାନେ ଆମ ନର୍ସମାନଙ୍କର ସ୍ବାସ୍ଥ୍ୟ ଓ ନିରାମୟ ତଥା ନିରାପତ୍ତା ପାଇଁ ସମର୍ଥନ ଜଣାଇବା ଉଚିତ, କାରଣ ସେମାନେ ଆମ ସ୍ବାସ୍ଥ୍ୟ ସେବା କାର୍ଯ୍ୟକାରିତା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।“