ଭୁବନେଶ୍ୱର: ଅସହ୍ୟ ତାତିକୁ ଗୁଳୁଗଳି ରାଜ୍ୟବାସୀଙ୍କୁ କଲବଲ କରି ଦେଉଛି । ସକାଳ ଆଠଟା ପରେ ଘରୁ ବାହାରିକ କଷ୍ଟକର ହୋଇପଡ଼ୁଛି । ସୋମବାର ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ସକାଳ ୯ଟା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପାମାତ୍ର ୩୦ ଡିଗ୍ରୀ ସେଲସିୟସ୍ ପାର କରିଥିବାବେଳେ ଝାରସୁଗୁଡ଼ାରେ ପାରଦ ୩୫ ଡିଗ୍ରୀ ଛୁଇଁଛି ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢ଼େ ଆଠଟା ବେଳକୁ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ସମ୍ବଲପୁର ସହର ଓ ହୀରାକୁଦରେ ୩୪.୪ ଡିଗ୍ରୀ ସେଲସିୟସ୍ ଲେଖାଏଁ ତାପାମାତ୍ରା ରେକର୍ଡ଼ କରାଯାଇଥିବାବେଳେ ରାଉରକେଲାରେ ୩୩.୬ ଡିଗ୍ରୀ, ଚାନ୍ଦବାଲି ଓ ପୁରୀରେ ୩୨.୬ ଡିଗ୍ରୀ, ଭୁବନେଶ୍ୱର ୩୨.୪ ଏବଂ ବାଲେଶ୍ୱରରେ ଓ କେଉଁଝରରେ ୩୨.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ଗରମ ଓ ଗୁଳିଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ୧୯ଟି ସ୍ଥାନରେ ୪୦ ଅତିକ୍ରମ କରିଥିଲା ।
ସତର୍କ ରୁହନ୍ତୁ-
ଅଧିକ ଖରାକୁ ବାହାରକୁ ବାହରନ୍ତୁ ନାହିଁ ।
ବାହାରକୁ ଗଲେ ପାଣି ବୋତଲ, ଟୋପି ଓ ଛତା ସାଙ୍ଗରେ ରଖନ୍ତୁ ।
ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।
ସରବତ, ଲେମ୍ବୁ ପାଣି, ଘୋଳ ଦହି, ପଇଡ଼ ପାଣି ଆଦି ପ୍ରଚୁର ପରିମାଣରେ ପିଅନ୍ତୁ ।
ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।
ବୟସ୍କ, ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ।