କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ସୋମବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଜଷ୍ଟିସ୍ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିଲେ। କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ହାଇକୋର୍ଟରେ ଯୋଗ ଦେବା ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
ଜଷ୍ଟିସ ଶ୍ରୀପଦ ୧୯୬୪ ମସିହା ଜୁଲାଇ ୨୦ରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖ ରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ।
ହାଇକୋର୍ଟ ନୂଆ କନଫରେନ୍ସ ହଲରେ ପୂର୍ବାହ୍ନ ୧୦ଟାରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀମାନେ ଉପସ୍ଥିତ ଥିଲେ।