ନୂଆଦିଲ୍ଲୀ: ବଲୁଚ ଲିବରେସନ ଆର୍ମି ପାକିସ୍ତାନର ପ୍ରପଞ୍ଚ ଆଭିମୁଖ୍ୟକୁ ଅତି କଡ଼ା ଏବଂ ଶାଣିତ ସ୍ୱରରେ ବର୍ଣ୍ଣନା କରିଛି । ପାକିସ୍ତାନର ଶାନ୍ତି ବାର୍ତ୍ତା, ଯୁଦ୍ଧବିରତି ଏବଂ ଭାଇଚାରା କେବଳ ଦେଖାଣିଆ, ଯୁଦ୍ଧ ରଣନୀତି ଓ ଅସ୍ଥାୟୀ ଯୋଜନା ଅଟେ । ଭାରତ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥାକୁ ପାକିସ୍ତାନର ଏଭଳି ଧୋକାବାଜ ଶାନ୍ତିର ପ୍ରସ୍ତାବରେ ନ ଫସିବାକୁ ଚେତାବନୀ ଦେଇଛି ବିଏଲ୍ଏ । ପାକ୍ ଏପରି ଏକ ଦେଶ ଯାହାର ହାତ ରକ୍ତରେ ରଙ୍ଗୀନ ଏବଂ ଯାହାର ପ୍ରତ୍ୟେକ ପ୍ରତିଶ୍ରୁତି ରକ୍ତରେ ଭିଜା ।
ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଭାରତ ସହିତ ଶତ୍ରୁତାକୁ ଚରମସୀମାରେ ପହଁଚାଇଥିବାବେଳେ ଏବେ ତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ବଲୁଚିସ୍ତାନ । ବଲୁଚ ଲିବରେସନ ଆର୍ମି ୫୧ଟି ଅଧିକ ସ୍ଥାନରେ ୭୧ରୁ ଉର୍ଦ୍ଧ୍ୱ ଆକ୍ରମଣ କରିଥିବା ଦାବି କରିଛି । ସେମାନେ ଆକ୍ରମଣ ସ୍ଥାନକୁ ବେଲୁଚିସ୍ତାନ ଅଧିକୃତ ନାମରେ ନାମିତ କରିଛନ୍ତି । ମୁଖପାତ୍ର ଜିନ୍ଦ୍ ବାଲୋଚ୍ କହିଛନ୍ତି ଯେ ସାମ୍ପ୍ରତିକ ଆକ୍ରମଣ କେବଳ ବିନାଶ ପାଇଁ ନୁହେଁ ବରଂ ଯୁଦ୍ଧକ୍ଷେତ୍ରରେ ପ୍ରସ୍ତୁତି ପରୀକ୍ଷା କରିବା ପାଇଁ କରାଯାଇଥିଲା , ଯାହା ଦ୍ୱାରା ଭବିଷ୍ୟତରେ ସଂଗଠିତ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରାଯାଇପାରିବ।ବିଏଲ୍ଏ ଚେତାବନୀ ଦେଇଛି ଯେ ଦକ୍ଷିଣ ଏସିଆରେ ଏକ ନୂତନ କ୍ରମ ଅନିବାର୍ଯ୍ୟ ହୋଇପଡ଼ିଛି ଏବଂ ଏହି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ଏଥିରେ ବିଦେଶୀ ଶକ୍ତିଙ୍କ ହାତକୁ ବିଏଲ୍ଏ ଖାରଜ କରିଛି ।
ବିଏଲ୍ଏ କହିଛି, ଆମେ ଏହି ଚିନ୍ତାଧାରାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ ଯେ ବଲୁଚ୍ ଜାତୀୟ ପ୍ରତିରୋଧ କୌଣସି ଦେଶ କିମ୍ବା ଶକ୍ତିର ଏକ ପ୍ରକ୍ସି। 'ବିଏଲ୍ଏ ମୋହରା କିମ୍ବା ନୀରବ ଦର୍ଶକ ନୁହେଁ । ଏହି ଅଞ୍ଚଳର ବର୍ତ୍ତମାନ ଏବଂ ଭବିଷ୍ୟତର ସାମରିକ, ରାଜନୈତିକ ଏବଂ ରଣନୈତିକ ଗଠନରେ ଆମର ଯଥାର୍ଥ ସ୍ଥାନ ଅଛି ଏବଂ ଆମେ ଆମର ଭୂମିକା ବିଷୟରେ ସମ୍ପୂର୍ଣ୍ଣ ସଚେତନ।'
ବିଏଲ୍ଏ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି । ଆଇଏସ୍ଆଇ ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି । ପାକିସ୍ତାନ କେବଳ ବିଶ୍ୱ ଆତଙ୍କବାଦୀଙ୍କ ପାଇଁ ଏକ ପ୍ରଜନନ ଭୂମି ହୋଇନାହିଁ ବରଂ ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ଆଇଏସ୍ଆଇଏସ୍ ( ISIS) ଭଳି ଘାତକ ଆତଙ୍କବାଦୀ ଗୋଷ୍ଠୀର ରାଷ୍ଟ୍ର-ପ୍ରାୟୋଜିତ ବୃଦ୍ଧିର କେନ୍ଦ୍ର ମଧ୍ୟ ହୋଇଛି। ଏହି ଆତଙ୍କବାଦ ପଛରେ ଆଇଏସ୍ଆଇ ହେଉଛି ନେଟୱାର୍କ ଏବଂ ପାକିସ୍ତାନ ହିଂସାତ୍ମକ ଚିନ୍ତାଧାରା ସହିତ ଏକ ପରମାଣୁ ରାଷ୍ଟ୍ର ପାଲଟିଛି । ବିଏଲ୍ଏ ବିଶ୍ୱ ସମୁଦାୟଠାରୁ ରାଜନୈତିକ, କୂଟନୈତିକ ଏବଂ ପ୍ରତିରକ୍ଷା ସମର୍ଥନ ପାଇଁ ଆବେଦନ କରିଥିଲା । ଯଦି ଆମେ ବିଶ୍ୱରୁ, ବିଶେଷକରି ଭାରତରୁ ରାଜନୈତିକ, କୂଟନୈତିକ ଏବଂ ପ୍ରତିରକ୍ଷା ସମର୍ଥନ ପାଇବୁ, ତେବେ ବଲୁଚ୍ ରାଷ୍ଟ୍ର ଏହି ଆତଙ୍କବାଦୀ ରାଷ୍ଟ୍ରର ଅନ୍ତ କରିପାରିବ ବୋଲି ଦାବି କରିଛି ବିଏଲଏ । ଏପରି ସମର୍ଥନ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସ୍ୱାଧୀନ ବଲୁଚିସ୍ତାନ ପାଇଁ ପଥ ପ୍ରଶସ୍ତ କରିପାରିବ । ପାକିସ୍ତାନର ବର୍ତ୍ତମାନର ମନୋଭାବ ବିଶ୍ୱ ପାଇଁ ବିପଦ । ଯଦି ପାକିସ୍ତାନକୁ ସହ୍ୟ କରିବାକୁ ଲାଗି ରହେ, ତେବେ ଆଗାମୀ ବର୍ଷଗୁଡ଼ିକରେ ଏହି ରାଜ୍ୟର ଅସ୍ତିତ୍ୱ ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟୟ ହୋଇପାରେ ବୋଲି ବିଏଲଏ ବିବୃତ୍ତିରେ କହିଛି ।