ଇସଲାମାବାଦ: ପାକିସ୍ତାନରେ ବର୍ଷା ଏବଂ ବନ୍ୟା ତାଣ୍ଡବ ରଚିଛି। ଦେଶର ଖାଇବର ପଖତୁନଖ୍ୱା ରାଜ୍ୟରେ ଏକ ପରିବାର ପିକନିକ୍ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ପରିଣତ ହୋଇଛି। ସ୍ୱାତ ନଦୀରେ ହଠାତ୍ ବନ୍ୟା ଆସିବାରୁ ଗୋଷ୍ଠୀର ୯ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ଘଟିଥିବା ଏହି ଘଟଣାର ଏକ ଲୋମ ହଲାଇ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି। ଏକ ଗୋଷ୍ଠୀ ପ୍ରବଳ ସ୍ରୋତରେ ଘେରି ରହିଥିବା ଏବଂ ଜଣେ ପରେ ଜଣେ ପ୍ରବାହିତ ହେଉଥିବା ଦେଖାଯାଇଛି। ଘଟଣା ପରେ ରିଲିଫ୍ ଏବଂ ଉଦ୍ଧାର କର୍ମୀମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପାକିସ୍ତାନର ଉଦ୍ଧାର ସେବା ୧୧୨୨ର ମହାନିର୍ଦ୍ଦେଶକ ଶାହ ଫହାଦ ନ୍ୟୁଜ୍ ଏଜେନ୍ସି କୁ କହିଛନ୍ତି ଯେ ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ କରାଯାଉଛି ଏବଂ ୮୦ ଜଣ ଉଦ୍ଧାର ଦଳର କର୍ମଚାରୀ ସନ୍ଧାନ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି। ଗୋଷ୍ଠୀର ଜଣେ ସଦସ୍ୟ ଏଜେନ୍ସିକୁ କହିଛନ୍ତି ଯେ ସେମାନେ ଜଳଖିଆ କରୁଥିଲେ ଏବଂ ପିଲାମାନେ ପାଣିରେ ଖେଳିବାରେ ଏବଂ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ।
ସେ କହିଥିଲେ, 'ସେମାନେ ସେଲଫି ନେବାକୁ ଯାଇଥିଲେ। ସେତେବେଳେ ସେଠାରେ ବହୁତ ପାଣି ନଥିଲା। ହଠାତ୍ ବନ୍ୟା ଆସି ପିଲାମାନଙ୍କୁ ଭାସେଇ ନେଇଗଲା। ପାଣିର ପ୍ରବାହ ଦେଖି ଲାଗୁଥିଲା ଯେପରି ବନ୍ଧ ଭାଙ୍ଗି ଯାଇଛି।' ସେ କହିଥିଲେ ଯେ ଉଦ୍ଧାରକାରୀ ଦଳ ଆସିବା ପାଇଁ ପୀଡିତମାନଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା। ଉଦ୍ଧାର ଅଧିକାରୀମାନେ କହିଛନ୍ତି ଯେ ସେମାନେ ସକାଳ ପ୍ରାୟ ୮ଟାରେ ବୁଡ଼ିଯିବା ବିଷୟରେ ସୂଚନା ପାଇଥିଲେ।
ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପର୍ଯ୍ୟଟକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଶାହବାଜ କହିଛନ୍ତି ଯେ ନଦୀ ଏବଂ ଝରଣା ପାଖରେ ସୁରକ୍ଷା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି। ଏହି ସମୟରେ, ଅଧିକାରୀମାନେ କହିଛନ୍ତି ଯେ ଏହି ସପ୍ତାହରେ ପାକିସ୍ତାନରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ୧୬ ଶିଶୁଙ୍କ ସମେତ ୩୨ ଜଣଙ୍କର ମୃତ୍ୟୁ ହୋଇଛି।