ପୁରୀ : ଶରଧାବାଲି ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ସରକାର ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।ଏହାବାଦ୍ ପୁରୀ ଏସ୍ପି ବିନିତ ଅଗ୍ରଓ୍ୱାଲ୍ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ଦଳାଚକଟା ଅଘଟଣ ପାଇଁ ଜଗନ୍ନାଥ ପ୍ରେମୀଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି । ମୁଁ ଏବଂ ମୋ ସରକାର କ୍ଷମା ପ୍ରାର୍ଥନା କରୁଛୁ । ଏଭଳି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗଭୀର ସମବେଦନାଜଣାଇଛନ୍ତି । ଏଭଳି ଦାରୁଣ ଦୁଃଖକୁ ସହିବା ନିମନ୍ତେ ମହାପ୍ରଭୁ ଶକ୍ତି ଦିଅନ୍ତୁ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁସାରେ ଆଜି ଭୋରୁ ପୁରୀ ଶରଧାବାଲିରେ ଠେଲାପେଲା ଦଳାଚକଟାରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଛି । ସେମାନଙ୍କ ଭିତରୁ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ ।
ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ । ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା । ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା । ତେବେ ଆଜି ଭୋର ୪ ସମୟରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ଯୋଗୁଁ ଦଳାଚକଟା ହୋଇଛି । ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି ।ଯେଉଁଥିରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୫୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି ।