ପୁରୀ: ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଘଟିଯାଇଥିବା ବଡ଼ ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ କହିଲେ ମୁଖ୍ୟମନ୍ତ୍ରୀ । ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।
ସୂଚନା ଅନୁସାରେ, ଭୋର ୪ଟାରେ ପହଡ଼ ଖୋଲିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ପ୍ରଭାତୀ ଦାସ। ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଯେଉଁ ସ୍ଥାନରେ ଦଳାଚକଟା ହୋଇଛି ସେଠାରେ ପ୍ରଶାସନ ତରଫରୁ ପୂର୍ବରୁ କୌଣସି ସୁରକ୍ଷା କିମ୍ବା ପୋଲିସ ବାହନୀ ସେଠାରେ ଉପସ୍ଥିତ ନଥିଲେ ।