ବରଗଡ଼: ଓଡ଼ିଶାରେ ଥିବା ଗରିବ ଶ୍ରେଣୀରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିବା ଆମର ଡବଲ ଇଞ୍ଜିନ ସରକାରର ମୂଳ ଉଦ୍ଦେଶ୍ୟ ବୋଲି ଆଜି ବରଗଡରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ପାଖାପାଖି ୨୨ କୋଟିରୁ ଅଧିକ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ନିଷ୍ପତ୍ତି ଉପରେ ଆଲୋକପାତ କରିଛନ୍ତି । ପୂର୍ବୋଦୟ କଳ୍ପନାରେ ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ପ୍ଲାଣ୍ଟ ଦେଶର ଇଥାନଲ ଆବଶ୍ୟକତାକୁ ପୂରଣ କରିବ । ଏହା ମାଧ୍ୟମରେ କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ହସ୍ତତନ୍ତ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତି ବଢାଇବା ପାଇଁ ସମସ୍ତେ ସହଯୋଗର ଦାୟିତ୍ୱ ନେବା । ବୀର ସୁରେନ୍ଦ୍ର ସାଏଙ୍କ କର୍ମସ୍ଥାନ ଦେବ୍ରୀଗଡକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଏହି ଅବସରରେ ବରଗଡ଼ ଜିଲ୍ଲାର ସଫଳ କୃଷକ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ଓ ବରଗଡ଼ ଜିଲ୍ଲାର ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ ।