ହାଇଦ୍ରାବାଦ: ହାଇଦ୍ରାବାଦର ଏକ ପ୍ରମୁଖ ତେଲୁଗୁ ନ୍ୟୁଜ ଚ୍ୟାନେଲର ୪୦ ବର୍ଷୀୟ ସାମ୍ବାଦିକା ତଥା ଉପସ୍ଥାପିକା(ଆଙ୍କର) ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଶନିବାର ଏହାର ସୂଚନା ଦେଇଛି। ଉପସ୍ଥାପିକା ସ୍ଵେଚ୍ଛା ଭୋଟାକରଙ୍କ ଶରୀର ଶୁକ୍ରବାର ରାତିରେ ତାଙ୍କ ଘର ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାରେ ଆତ୍ମହତ୍ୟା ମାମଲା ରୁଜୁ କରିବା ସହ ସାମ୍ବାଦିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ କରିଛି। ସେ ନିଜ ଝିଅର ଆତ୍ମହତ୍ୟା ପାଇଁ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।
ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଟ ନୋଟ୍ ମିଳିନାହିଁ। ପ୍ରାରମ୍ଭିକ ରିପୋର୍ଟରୁ ଏହା ଜଣା ପଡ଼ିଛି ଯେ, ସେ ବହୁତ ମାନସିକ ଅବସାଦ ଦେଇ ଗତି କରୁଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ଗାନ୍ଧୀ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସ୍ଵେଚ୍ଛା ତେଲୁଗୁ ମିଡ଼ିଆ କ୍ଷେତ୍ରରେ ଏକ ପରିଚିତ ନାଁ ଥିଲେ। ସେ ସାର୍ବଜନୀନ ପ୍ରସଙ୍ଗ ଓ ସମାଜ ସଂପର୍କିତ ବହୁ ସମସ୍ୟାର ଶୋରେ ଆଙ୍କରିଂ କରିଥିଲେ। ସେ ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିଲେ। ପୋଲିସ କହିଛି ଯେ, ତାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଛି। କୌଣସି ସୁଇସାଇଡ୍ ନୋଟ୍ ମିଳି ନ ଥିବାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭାରତ ରାଷ୍ଟ୍ର ସମିତି(ବିଆରଏସ)ର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମାରାଓ ସାମ୍ବାଦିକାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ସ୍ଵେଚ୍ଛା ଭୋଟାକରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ଖବର ଶୁଣି ଦୁଃଖିତ। ସେ ଜଣେ ନିର୍ଭୀକ ସାମ୍ବାଦିକା, ଲେଖିକା ଓ ତେଲଙ୍ଗାନା ପ୍ରତି ସମର୍ପିତ ନାଗରିକ ଥିଲେ। ମୋ ପାଖରେ କହିବା ପାଇଁ କିଛି ଶବ୍ଦ ନାହିଁ। ମୁଁ କେବଳ ଏତିକି କହିବି ଜୀବନରେ କେବେ କଠିନ ସମୟ ଆସିଲେ ସଙ୍କୋଚ କରିବେ ନାହିଁ। କୌଣସି ମନସ୍ତତ୍ଵବିତଙ୍କ ସହ ଯୋଗାଯୋଗ କରନ୍ତୁ। ଜୀବନ ଜିଇଁବା ପାଇଁ ଏବଂ ସହାୟତା ପାଇଁ ଉପଲବ୍ଧ।