ପିପିଲି: ପୁରୀ ଜିଲ୍ଲା ପିପିଲି ନିକଟରେ ଏକ ମର୍ମୁନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଆମ ବସ୍ ଧକ୍କାରେ ୩ ଜଣ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେମାନେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦) । ସମସ୍ତ ମୃତ ଛାତ୍ରୀମାନେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି ଜଣାପଡ଼ିଛି ।
ଲିଙ୍ଗରାଜ ଥାନା ବାରିକସାହିର ରିମ୍ଝିମ ପ୍ରିୟଦର୍ଶିନୀ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ଏଲିନା ଦାସ ଓ କାଜଲ ଦାସ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ । ସେମାନେ ରଥଯାତ୍ରା ପାଇଁ ପୁରୀ ଯାଉଥିଲେ । ଏହି ସମୟରେ ତରାକାଜ ନିକଟରେ ଏକ ଗାଡ଼ି ସେମାନଙ୍କୁ ସାଇଡ୍ ମାରିଥିଲା । ଫଳରେ ସ୍କୁଟି ନିୟନ୍ତ୍ରଣ ହରାଇବାରୁ ତିନି ଜଣ ଛାତ୍ରୀ ତଳେ ପଡ଼ି ଯାଇଥିଲେ । ଦୁର୍ଭାଗ୍ୟବଶତଃ ପଛରୁ ଆସୁଥିବା ଆମ ବସ୍ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ତିନି ଜଣଙ୍କର ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ପିପିଲି ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ସମ୍ପୃକ୍ତି ସ୍କୁଟିକୁ ଜବତ କରିଥିବା ବେଳେ ବସ୍ ଚାଳକଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।