ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନ ନୂଆ ଅନୁସନ୍ଧାନ ଓ ବିଶ୍ଳେଷଣ ଶାଖା (R&AW)ର ମୁଖ୍ୟଭାବେ ନୂତନ ନିଯୁକ୍ତି ପାଇଛନ୍ତି । ଜୁଲାଇ ପହିଲାରୁ ପରାଗ ଜୈନ R&AWର ନୂଆ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ଏହି ପଦରେ ଥିବା ରବି ସିହ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଛି । ସିହ୍ନାଙ୍କ ପରେ ପରାଗ ଜୈନ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ ।
୧୯୮୯ ବ୍ୟାଚର ପଞ୍ଜାବ କ୍ୟାଡର୍ ଆଇପିଏସ ଅଧିକାରୀ ପରାଗ ଜୈନ ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ଅନେକ ଉଚ୍ଚ ପଦବୀରେ ରହିସାରିଛନ୍ତି । ପଞ୍ଜାବର ପୋଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କର କାର୍ଯ୍ୟକାଳ ଆରମ୍ଭରେ ସେ ପଞ୍ଜାବରେ ଆତଙ୍କବାଦ ବିରୁଦ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲା । ସେ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ପୋଲିସ ଅଧିକ୍ଷକ ଏବଂ ଡିଜିପି ଭାବରେ କାର୍ଯ୍ୟ କରିଥିଲେ ।
ସେହିପରି ପରାଗ ଜୈନଙ୍କର ଜାମ୍ମୁ କାଶ୍ମୀରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ପାକିସ୍ତାନ ଡେସ୍କକୁ ବ୍ୟାପକ ଭାବରେ ପରିଚାଳନା କରିଛନ୍ତି ଏବଂ ଧାରା 370 ଉଚ୍ଛେଦ ସମୟରେ ଜମ୍ମୁ ଏବଂ କାଶ୍ମୀରରେ କାର୍ଯ୍ୟ କରିଥିଲେ । ତାଙ୍କୁ ଶ୍ରୀଲଙ୍କା ଏବଂ କାନାଡାରେ ଥିବା ଭାରତୀୟ ମିଶନରେ ମଧ୍ୟ ନିଯୁକ୍ତି ଦିଆଯାଇଛି। କାନାଡାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଦେଶରେ କାର୍ଯ୍ୟ କରୁଥିବା ଖଲିସ୍ତାନି ଆତଙ୍କବାଦୀ ମଡ୍ୟୁଲଗୁଡ଼ିକ ଉପରେ ତୀକ୍ଷଣ ନଜର ରଖିଥିଲେ।