କୋଲକାତା: କୋଲକାତା ଆଇନ ମହାବିଦ୍ୟାଳୟ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ମାମଲାରେ ପୁଣି ଜଣକୁ ଗିରଫ କରିଛି ପୋଲିସ । କଲେଜ ସୁରକ୍ଷାକର୍ମୀ ପିନାକୀ ବାନାର୍ଜୀ (୫୫) ଗିରଫ ହୋଇଛନ୍ତି । ଫଳରେ ଏହି ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
ଗାର୍ଡକୁ ଜେରା କରିବା ପାଇଁ କସବା ଥାନା ନିଆଯାଇଥିଲା । ଜେରା ସମୟରେ ତାର ବୟାନରେ କୌଣସି ତାଳମେଳ ନ ଥିଲା । ସେହିପରି ଘଟଣା ସମୟରେ ଗାର୍ଡ କଲେଜ ପରିସରରେ ଉପସ୍ଥିତ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ମନୋଜୀତ ମିଶ୍ର ତାକୁ ବାହାରକୁ ଯିବାକୁ କହିବାରୁ ସେ ବାହାରକୁ ପଳାଇଯାଇଥିଲେ । ଛାତ୍ରୀ ଜଣକ ସାହାଯ୍ୟ ପାଇଁ ଭିକ ମାଗୁଥିଲେ ମଧ୍ୟ ଗାର୍ଡ ତାଙ୍କୁ କୌଣସି ସୁରକ୍ଷା ନ ଦେଇ ସେଠାରୁ ଚୁପଚାପ ଚାଲିଯାଇଥିଲେ । ସେ ଅଭିଯୁକ୍ତଙ୍କ ସାଥ୍ ଦେଇଥିବାରୁ ତାଙ୍କୁ ମଧ୍ୟ ଦୋଷୀ କରାଯିବ ବୋଲି ପୋଲିସ କହିଛି ।
ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ମନୋଜୀତ ମିଶ୍ର, କଲେଜ ଛାତ୍ର ପ୍ରମୀତ ମୁଖାର୍ଜୀ ଏବଂ ଷ୍ଟାଫ୍ ଅହମଦ ଗିରଫ ହୋଇଛନ୍ତି । ଜୁଲାଇ ୧ ପର୍ଯ୍ୟନ୍ତ ତିନି ଜଣଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜୁନ ୨୫ ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୫୦ ମଧ୍ୟରେ କଲେଜ ପରିସରରେ ଏହି ଘଟଣା ଘଟିଛି । ପରୀକ୍ଷା ଫର୍ମ ପୂରଣ କରିବାକୁ କଲେଜ ଯାଇଥିବାବେଳେ କୌଣସି କାମରେ ଅନ୍ୟମାନଙ୍କ ସହିତ ଛାତ୍ରୀଙ୍କୁ ଅଟକାଇଥିଲେ । ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ଛାତ୍ରୀଙ୍କୁ କଲେଜ ୟୁନିଅନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବା ସହିତ ବିବାହ ପ୍ରସ୍ତାବ ଦେଇଥିଲେ । ଛାତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଭିଡ଼ିଓ କରିବା ସହିତ ଛାତ୍ରୀଙ୍କୁ ହକି ଷ୍ଟିକରେ ଆକ୍ରମଣ କରିଥିଲେ ।