କୋଲକାତା: ଦକ୍ଷିଣ କୋଲକାତା ଲ କଲେଜରେ ଜଣେ ୨୪ ବର୍ଷୀୟ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା ପଶ୍ଚିମବଙ୍ଗ ରାଜନୀତିରେ ଚହଳ ପକାଇଛି । ଏହି ଅମାନୁଷିକ କାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି କ୍ଷମତାସୀନ ଟିଏମସିର ଛାତ୍ର ଶାଖାର ସଦସ୍ୟ । ଏବେ ଘଟଣାରେ ଟିଏମସିର ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଏକ ବୟାନ ବିବାଦକୁ ଆହୁରି ବଢାଇ ଦେଇଛି । ବାନାର୍ଜୀଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଶ୍ରୀରାମପୁରରୁ ସାଂସଦ କଲ୍ୟାଣ ବାନାର୍ଜୀ ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଜଣେ ବନ୍ଧୁ ନିଜର ବନ୍ଧୁ ସହ ଦୁଷ୍କର୍ମ କରେ ତେବେ ଆଉ କଣ କରାଯାଇ ପାରିବ । କଣ ପୋଲିସକୁ ସ୍କୁଲରେ ବସାଯିବ ? ଏହି ଦୁଷ୍କର୍ମ ଜଣେ ଛାତ୍ରଙ୍କ ଦ୍ୱାରା ଅନ୍ୟ ଛାତ୍ରୀ ସହ କରାଯାଇଛି । କିଏ ଏହାର ରକ୍ଷା କରିବ ? ସେ ଏହା ମଧ୍ୟ କହିଛନ୍ତି ସମସ୍ତ ଅପରାଧ ଓ ଦୁର୍ବ୍ୟବହାର କରି କରୁଛି ? କିଛି ପୁରୁଷ ହିଁ ଏମିତି କାମ କରୁଛନ୍ତି । ମହିଳାଙ୍କୁ କାହା ବିରୋଧରେ ଲଢିବା ଉଚିତ୍ ? ମହିଳାମାନଙ୍କୁ ଏହି ବିକୃତ ପୁରୁଷଙ୍କ ବିରୋଧରେ ଲଢିବା ଉଚିତ୍ ।
କଲ୍ୟାଣ ବାନାର୍ଜୀ କହିଛନ୍ତି, ଏମିତି ଅପରାଧ ଯିଏ କରିଛି ତାକୁ ତୁରନ୍ତ ଗିରଫ କରାଯାଉ । ମାତ୍ର ଯଦି କୌଣସି ବନ୍ଧୁ ନିଜର ବନ୍ଧୁକୁ ଦୁଷ୍କର୍ମ କରୁଛି ତେବେ ଏହାକୁ ଭ୍ରଷ୍ଟାଚାର କେମିତି କୁହାଯାଇ ପାରିବ ? ଯେ ପର୍ଯ୍ୟନ୍ତ ପୁରୁଷଙ୍କ ମାନସିକତା ଏମିତି ରହିବ ତେବେ ଏମିତି ଘଟଣା ଘଟି ଚାଲିବ । ଅପରାଧ କୌଣସି ପାର୍ଟି କିମ୍ବା ସଂଗଠନ ସହ ଜଡିତ ନୁହେଁ ।
ମାମଲା କଣ ?
ଏହି ଘଟଣା ବୁଧବାର ଅର୍ଥାତ ଜୁନ ୨୫ ତାରିଖ ସନ୍ଧ୍ୟାରେ ଘଟିଛି । ସାଉଥ କୋଲକାତା ଲ କଲେଜରେ ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କ ସହ କଲେଜ ପରିସରରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ମୁତାବକ ତାଙ୍କୁ ଛାତ୍ର ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଗାର୍ଡ ରୁମରେ ତିନି ଯୁବକ ଡାକିଥିଲେ । ଏଥିରେ ୩୧ ବର୍ଷୀୟ ପୂର୍ବତନ ଛାତ୍ର ତଥା ଓକିଲ ମନୋଜିତ ମିଶ୍ର ତାଙ୍କ ସହ ଦୁଷ୍କର୍ମ କଲେ । ସେହି ସମୟରେ ଦୁଇ ଅନ୍ୟ ଛାତ୍ର ଜେବ ଅହମ୍ମଦ(୧୯) ଓ ପ୍ରମିତ ମୁଖୋପାଧ୍ୟାୟ(୨୦) ସେଠାରେ ଉପସ୍ଥିତ ରହି ଅଭିଯୁକ୍ତକୁ ସହାୟତା କରୁଥିଲେ ।