ମୁମ୍ବାଇ: ପୁଣି ଏକ ବୋଇଙ୍ଗ ଡ୍ରିମଲାଇନର ବିମାନ ୩୦୦ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇଛି । ମଝି ଆକାଶରେ ଘୂରି ବୁଲିଲା ଇଥୋପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୮୭ ଡ୍ରିମଲାଇନର । ଫଳରେ ୭ ଜଣ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି ।
ପ୍ରାଥମିକ ସୂଚନା ମୁତାବକ, ଶୁକ୍ରବାର ଇଥୋପିଆନ୍ ରାଜଧାନୀ ଅଦୀସ ଅବାବାରୁ ମୁମ୍ବାଇ ଅଭିମୁଖେ ଇଥୋପିଆନ ଏୟାରଲାଇନ୍ସର ବିମାନ ଇଟି୬୪୦ ଉଡ଼ାଣ ଆରମ୍ଭ କରିଥିଲା । ଯେଉଁଥିରେ ୧୧ ଜଣ କ୍ର୍ୟୁ ମେମ୍ବରଙ୍କ ସମେତ ୩୦୦ ଯାତ୍ରୀ ଥିଲେ । ଠିକ୍ ଆରବ ସାଗର ଉପରେ ମିଡ୍-ଏୟାର ଡିପ୍ରେସରାଇଜେସନ୍ ସମସ୍ୟା ଦେଖାଦେଇଥିଲା । ଅର୍ଥାତ୍ ବିମାନରେ ବାୟୁର ଚାପ କମ୍ ହୋଇଯାଇଥିଲା । ସମୁଦ୍ର ଗଭୀରରୁ ୩୩ ହଜାର ଫୁଟ୍ ଉପରେ ଥିଲା ବିମାନ । ଏହା ପରେ ପାଇଲଟ ତୁରନ୍ତ ଫ୍ଲାଇଟକୁ ତଳକୁ ଆଣିଥିଲେ ।
ବାୟୁର ଚାପ କମିଯିବା ଦ୍ୱାରା ୭ ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ରାତ୍ର ପ୍ରାୟ ୧ଟା ୫୫ ମିନିଟ ସମୟରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ମିଡ୍-ଏୟାର ଡିପ୍ରେସରାଇଜେସନ୍
ମିଡ୍-ଏୟାର ଡିପ୍ରେସନ୍ ଅର୍ଥ ବିମାନ କ୍ୟାବିନରେ ବାୟୁର ଚାପ କମିଯିବା । ଏହାର ପ୍ରମୁଖ କାରଣ ହେଉଛି ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାଆନ୍ତି । ଫଳରେ ମୁଣ୍ଡ ବୁଲାଇବା କିମ୍ବା ବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏପରିକି ବିମାନରେ ବାୟୁର ଚାପ ଅଧିକ ହ୍ରାସ ପାଇଲେ କାନରୁ ରକ୍ତ ମଧ୍ୟ ବାହାରି ଥାଏ ।